ଶିକ୍ଷା ସଚେତନତା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ଆସିକା(ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୀକରଣ କର୍ତ୍ତୃପକ୍ଷ (ଓସେପା), ଜିଲ୍ଲା ସମଗ୍ର ଶିକ୍ଷାର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗତ ୪ ତାରିଖ ଠାରୁ ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଥିଲା ବେଳେ ମଙ୍ଗଳବାର ଭେଟନଇ କ୍ଳଷ୍ଟର ପକ୍ଷରୁ ଭବ୍ୟ ତଥା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି । ଶିକ୍ଷା ସଚେତନତା ରଥ ଭେଟନଇ କ୍ଳଷ୍ଟରର ଅତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହାରାଜପୁର ପ୍ରାଥମିକ ବିଦ୍ୟାଳୟ, ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଦ୍ଧନଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଣବାଲି ପ୍ରାଥମିକ ବିଦ୍ୟାଳୟ, ପଲ୍ଲୀନଗର ପ୍ରାଥମିକ ବିଦ୍ୟାଳୟ, ଭେଟନଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଟନଇ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିସରଭୁକ୍ତ ଅଞ୍ଚଳକୁ ପରିକ୍ରମା କରିଥିଲା । ଶିକ୍ଷା ସଚେତନତା ରଥ ଭେଟନଇ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟ ପରିସରଭୁକ୍ତ ଅଞ୍ଚଳକୁ ପରିକ୍ରମା ସମୟରେ ସିଆର୍ସିସି ସୌଦାମିନୀ ହୋତା, ପ୍ରଧାନଶିକ୍ଷକ ଶିବରାମ ଗୌଡ, ଝୁନୁ ଦାଶ, ପୁଷ୍ପାଞ୍ଜଳି ନାୟକ, ପ୍ରଣୟ ବଲ୍ଲରୀ ନାୟକ, ମାମାଲି ନାୟକ, ଜୁଲି ଭିତିରିଆ, ଗୁରୁ ପ୍ରସାଦ ଗୌଡ, ଶିବାନୀ ଡାକୁଆ, ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ଆକୃଷ୍ଟ କରିବା ସକାଶେ ଅଭିଭାବକ ଓ ବିଦ୍ୟାର୍ଥୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମକୁ ଶିକ୍ଷା ସଚେତନତା ରଥ ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି । ନୂତନ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି-୨୦୨୦କୁ ସରକାରୀ ବିଦ୍ୟାଳୟ ଗୁଡିକରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା ବେଳେ ଏହି ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆସିକା ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ପରିଲକ୍ଷିତ ହେଉଛି । ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଆ ଏବଂ ସଭିଏଁ ସ୍କୁଲ ଯିବା ନାରା ଦେଇ ଶିକ୍ଷା ସଚେତନତା ରଥ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଭେଟନଇ କ୍ଳଷ୍ଟରରେ ମଙ୍ଗଳବାର କରିଥିଲା ବେଳେ ଏହି ରଥକୁ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଦେଖିବାକୁ ମିଳିଥିଲା ।


