ଛେନାପଦି – ପଞ୍ଚୁଗୋଛିଆ ରାସ୍ତାରୁ ଫଡା ଫଡା ଉଠିଗଲା ପିଚୁ
ହାଟଡିହି (ଓ୍ବାଇଏନଏସ): ଛେନାପଦି ପଞ୍ଚୁଗୋଛିଆ ରାସ୍ତାରୁ ଫଡା ଫଡା ପିଚୁ ଉଠିଯାଉଛି। ଦୁଇଦିନ ହେଲା ପିଚୁ ପଡୁଥିବା ବେଳେ କିଛି କିଛି ସ୍ଥାନରେ ପିଚୁ ସବୁ ଉଠି ଯାଉଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତାଟି ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବାବେଳେ ଏହି ରାସ୍ତା ଉପରେ ପଞ୍ଚୁଗୋଛିଆ, ସୁଲଣ, ପଞ୍ଚାୟତର ୧୫ ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି। ଗତ କିଛିବର୍ଷ ଧରି ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ଯାତାୟାତରେ ନାନା ଅସୁବିଧା ହେଉଥିବା ବେଳେ ଅନେକ ଥର ଗଣମାଧ୍ୟମର ପୁଷ୍ଠା ମଣ୍ଡନ କରିଥିଲା। ବିଭାଗ ପକ୍ଷରୁ ରାସ୍ତାର ନବୀକରଣ କରା ନଯାଇ କେବଳ ମରାମତି ପାଇଁ ଅର୍ଥ ବ୍ୟବସ୍ଥା କରାଯାଇ ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଏବେ ରାସ୍ତା କାମ ଚାଲିଛି। ତିନି କିଲୋମିଟର ୮ଶହ ମିଟର ପର୍ଯ୍ୟନ୍ତ ରାସ୍ତାକୁ ଖାଲ ପୋତି ପିଚୁ କରାଯିବାର ବ୍ୟବସ୍ଥା ରହିଛି। ଏବେ ଠିକା ସଂସ୍ଥା ପିଚୁ କାମ କରୁଥିବା ବେଳେ ଉତ୍ତରଶ୍ୱର ମନ୍ଦିର ନିକଟ ରାସ୍ତା କଡ଼ରୁ ଫଡା ଫଡା ପିଚୁ ଉଠି ଯାଉଛି। ଠିକ ଭାବେ ଧୂଳି ସଫା ନକରି ପିଚୁ ପକାଯାଉ ଥିବାରୁ ଏପରି ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏପରି ହେଲେ ରାସ୍ତା କାମ କେତେଦିନ ଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତାକାମର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଜତ ସେଠୀଙ୍କୁ ପଚାରିବାରେ କିଛି ଲୋକ ଧୂଳି ସଫା କରିବାକୁ ବିରୋଧ କରିବାରୁ ଏପରି ହୋଇଛି ବୋଲି କହିବା ସହ ଯେଉଁଠି ଏପରି ହୋଇଛି ତାହାକୁ ଆଉଥରେ ମରାମତି କରାଯିବ ବୋଲି କହିଛନ୍ତି।


