ସରକାରୀ ସ୍କୁଲର ଲଜ୍ଜାଜନକ ଚିତ୍ର: ଶାଳଣିଆଁ ହାଇସ୍କୁଲରେ ୪୫ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ

ହାଟଡିହି, (ଓ୍ବାଇଏନଏସ): ସରକାର କହୁଛନ୍ତି “୫ଟି ସ୍କୁଲ, ସ୍ମାର୍ଟ ସ୍କୁଲ”। ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷା l  ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର l କିନ୍ତୁ ସରକାରୀ ଦାବିର ଧଜିଆ ଉଡିଯିବ। ଏଠି ସ୍କୁଲ ଅଛି, ପିଲା ଅଛନ୍ତି, ବିଲଡିଂ ଅଛି, ହେଲେ ପଢାଇବାକୁ ଶିକ୍ଷକ ନାହାଁନ୍ତି l କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଶାଳଣିଆଁ ହାଇସ୍କୁଲର ଚିତ୍ର ବଡ଼ ବିଚିତ୍ର l ଏଠି ସ୍କୁଲ ଅଛି l କିନ୍ତୁ ଶିକ୍ଷାଦାନର ଲଜ୍ୟାଜନକ ଚିତ୍ର ଅତି ଗୁରୁତର ଏବଂ ପରିତାପର ବିଷୟ ସାଜିଛି l  ୧୯୮୪ ମସିହାରେ ସ୍ଥାପିତ ଏହି ହାଇସ୍କୁଲ ୪୩ ବର୍ଷରେ ପଦାର୍ପଣ କରିଛି l ଏଠି ନବମ ଶ୍ରେଣୀରେ ୨୪ ଜଣ, ଦଶମ ରେ ୨୧ ଜଣ ମୋଟ ୪୫ ଜଣ ଛାତ୍ରୀଛାତ୍ର ପଢୁଛନ୍ତି । ସେମାନଙ୍କୁ ପାଠ ପଢାଇବାକୁ ସରକାର ଦେଇଥିଲେ ଜଣେ ଶିକ୍ଷୟିତ୍ରୀ ଏବଂ ଜଣେ ଶିକ୍ଷକ l ମାତ୍ର ୨ ଜଣ ଶିକ୍ଷାଦାନ କରନ୍ତି l ସେଥିରୁ ଜଣେ ଶିକ୍ଷୟିତ୍ରୀ ଗତ ଜୁନ ମାସରୁ ମାଟ୍ରୋନିଆଲ ଛୁଟିରେ ଅଛନ୍ତି l ଫଳରେ ଆଜକୁ ୩ ମାସ ହେବ ପୁରା ହାଇସ୍କୁଲ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ l ସେ କେବଳ ଓଡିଆ(ସାହିତ୍ୟ)ବିଷୟ ପଢ଼ାନ୍ତି l ଏଥିସହ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ମଧ୍ୟ ଅଛନ୍ତି l ତେବେ ଏପରି ସ୍ଥଳେ ଗଣିତ,ଇଂରାଜୀ, ସଂସ୍କୃତ, ହିନ୍ଦୀ,ସାଧାରଣ ବିଜ୍ଞାନ, ସମାଜିକ ବିଜ୍ଞାନ ପଢାଇବାକୁ ଶିକ୍ଷକ ନାହାଁନ୍ତି l ଏପରିକି କିରାଣୀ ମଧ୍ୟ ନାହାଁନ୍ତି l ୭ଟା ବିଷୟ କୁ ଜଣେ ଶିକ୍ଷକ ଯାହାକି ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି l ଏଠି ପାଠ ନୁହେଁ, ପ୍ରହସନ ଚାଲିଥିବା କୁହାଯାଉଛି l କିରାଣୀ କର୍ମଚାରୀ କେହି ନଥିବାରୁ ଶିକ୍ଷକ ଜଣକ ପାଠ ପଢାଇବେ ନା ହାଜିରା ଖାତା ସମ୍ଭାଳିବେ ନା ସ୍କୁଲର କାଗଜପତ୍ର ଦେଖିବେ ତାହା ବୁଝି ହେଉନି lସ୍କୁଲର ଆଗ ପଟେ ପାଚେରୀ ଅଛି, କିନ୍ତୁ ପଛ ପଟେ ନାହିଁ l ଫଳରେ ଦିନରାତି ଗୋରୁ, ଗାଈ, ଛେଳି, କୁକୁର ସ୍କୁଲ ପରିସରରେ ପଶି ମଳମୂତ୍ର କରୁଛନ୍ତି। ପିଲାମାନେ ଯେଉଁଠି ବସି ପାଠ ପଢିବେ, ସେଠି ଗୋବର l ବଡ଼ କଥା ହେଉଛି ଏହି ସ୍କୁଲରେ ଖେଳ ଶିକ୍ଷକ ମଧ୍ୟ ନାହାଁନ୍ତି l  ହାଇସ୍କୁଲର ପରିଚାଳନା କମିଟି ସଭାପତି କୈଳାସ କୁଅଁର କହିଛନ୍ତି କେବଳ ଓଡ଼ିଆ ବିଷୟର ଶିକ୍ଷକ ଅଛନ୍ତି l ଅନ୍ୟ ବିଷୟ ସବୁ କିଏ ପଢାଇବେ l ଛାତ୍ରୀଛାତ୍ର ପାଠ ପଢି ଜ୍ଞାନ ଆହୋରଣ କରିବେ ନା ମୂର୍ଖ ହୋଇ ଭବିଷ୍ୟତ ନଷ୍ଟ କରିବେ l ଆଗକୁ ଦଶମ ପରୀକ୍ଷା ଅଛି l ପିଲା କଣ ପଢି ପରୀକ୍ଷା ଦେବେ l ପିଲାଙ୍କ ଭବିଷ୍ୟତ କିଏ ଦେଖିବ l ଏଠି ଶିକ୍ଷାର ଶବ ଦାହ କରାଯାଉଛି l ଆର.ଟି.ଆଇ. ଆଇନ ଏଠି ଫେଲ ମାରିଛି l ଜୁନରୁ ଶିକ୍ଷୟିତ୍ରୀ ଛୁଟିରେ, କିନ୍ତୁ ୩ ମାସ ହେଲା ବିକଳ୍ପ ଶିକ୍ଷକ ଦିଆଗଲା ନାହିଁ କି ଅନ୍ୟ ବିଷୟର ଶିକ୍ଷକ ନିଯୁକ୍ତି ହେଲାନି l ସରକାର କିମ୍ବା ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି l ୪୫ ଜଣ ପିଲାଙ୍କ ଭବିଷ୍ୟତ ଚୁଲିକି ଗଲା ପରେ କଣ ସରକାରଙ୍କ ନିଦ ଭାଙ୍ଗିବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି। l ପ୍ରଧାନ ଶିକ୍ଷକ ଗୌତମ ଧୁରୁଆ କହିଛନ୍ତି ଯେ ମୁଁ ଓଡ଼ିଆ ବିଷୟର ଶିକ୍ଷକ ଅଟେ l ଆଉ ଅନ୍ୟ କୌଣସି ବିଷୟରେ ଏବଂ ଖେଳ ଶିକ୍ଷକ ନାହାଁନ୍ତି ଏବଂ କିରାଣୀ ମଧ୍ୟ ନାହାଁନ୍ତି l ସ୍କୁଲ ପଛ ପଟ ପାଚେରୀ ନାହିଁ l ଗାଈ, ଗୋରୁ ପଶି ଆସୁଥିବାରୁ ସମସ୍ୟା ସୃଷ୍ଟି ହେଉଛି l  ଏକୁଟିଆ ଯେତିକି ପାରୁଛି ସବୁ ବିଷୟରୁ ଟିକେ ଟିକେ ପଢାଉଛି l ପାଠ ପଢାଇବା , କିରାଣୀ କାମ କରିବା ଏବଂ ସ୍କୁଲ ଦାୟିତ୍ୱ ବୁଝିବା ମୁସ୍କିଲ ହେଉଛି l ସ୍କୁଲକୁ ଲାଗି ପଛ ପଟରେ ଥିବା ଖାଲରେ ପାଣି ଜମିକି ରହୁଛି l ବିଭିନ୍ନ ଅବ୍ୟବସ୍ଥା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ l ଏପର୍ଯ୍ୟନ୍ତ କୌଣସି ସୁବ୍ୟବସ୍ଥା ହୋଇନି l ଅଭିଭାବକ  ସଞ୍ଜୟ ନାୟକ, ଦିବାକର ବାରିକ, ଶରତ ବେହେରା, ବନମାଳୀ ଜେନା, ପ୍ରତିମା କୁଅଁର କହିଛନ୍ତି ଯେ ମାଗଣା ପାଠ ପଢାଇବୁ ବୋଲି ସରକାରୀ ସ୍କୁଲ ରେ ପିଲା ଦେଲୁ । ଏଠିତ  ଶିକ୍ଷକ ହିଁ  ନାହାନ୍ତି। ଘରୋଇ ସ୍କୁଲରେ ପଢାଇବାକୁ ଆମ ଔକାତ ନାହିଁ। ଏହା ଗରିବ ପିଲାଙ୍କ ପ୍ରତି ଅନ୍ୟାୟ ଅଟେ l ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ଏକ ଅନୁଦାନପ୍ରାପ୍ତ ବିଦ୍ୟାଳୟ ହୋଇଥିବାରୁ ସରକାରଙ୍କ ନୂତନ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା ନାହିଁ, ଅତିଥି ଶିକ୍ଷକ ନିଯୁକ୍ତି କରାଯାଇ ଶିକ୍ଷାଦାନର ସୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ