ପ୍ରାଚୀ ନଦୀ ଓ ତଟରେ ଥିବା କୀର୍ତ୍ତିରାଜିକୁ ପୁନଃରୁଦ୍ଧାର ପାଇଁ ପଦଯାତ୍ରା
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଭାରତ ବର୍ଷର ୯୦ଭାଗ ସାଂସ୍କୃତିକ ଇତିହାସ ମାଟି ତଳେ ରହୁଥିବା ବେଳେ ଓଡ଼ିଶାର ସହର୍ଷ ବର୍ଷର ଇତିହାସ ପ୍ରାଚୀ ନଦୀକୂଳରେ ଲୁଚି ରହିଛି।ପୁଣ୍ୟତୋୟା ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଈଁ ଜନଜାଗରଣ ସୃଷ୍ଟି କରିବା ଉଦେଶ୍ୟରେ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତ ୦୭ତାରିଖରୁ ଶ୍ରୀ ଅନ୍ଧକପିଳେଶ୍ୱର ମନ୍ଦିରରୁ ପ୍ରାଚୀ ସାଧୁସନ୍ଥମାନେ ଯୋଗଦେଈ ପ୍ରାଚୀ ନଦୀକୂଳରେ ଥିବା ଦ୍ୱାଦଶ ମଠ, ଦ୍ୱାଦଶ ମାଧବ, ଦ୍ୱାଦଶ ଋଷି ଆଶ୍ରମ, ଦ୍ୱାଦଶ ଶକ୍ତିପୀଠ ଅବକ୍ଷୟମୁଖି ନଦୀମାନଙ୍କ ପୁନଃରୁଦ୍ଧାର ଉଦେଶ୍ୟରେ ୨୦୧୨ମସିହାରୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପ୍ରାଚୀ ନଦୀର ହୃତ ଗୌରବ ପୁନଃ ପ୍ରକଟ ଚେଷ୍ଟାରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ଦିଗଦର୍ଶନ ଓ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଙ୍କ ପୌରୋହିତ୍ୟ ତଥା “ପ୍ରାଚୀ ପରିକ୍ରମା ପଦଯାତ୍ରା ଚାରିଟେବୁଲ ଟ୍ରଷ୍ଟ “ଆନୁକୂଲ୍ୟରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ସାଧୁ, ସନ୍ଥ, ଯୋଗୀ, ଐତିହାସିକ ଗବେଷକ, ଶ୍ରଦ୍ଧାଳୁ, ପରିବେଶପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ସାଧୁ ମାନେ ଖାଲି ପାଦରେ ଚାଲିଚାଲି ପବିତ୍ର ପ୍ରାଚୀ ନଦୀର ପରିକ୍ରମା କରି ଆସୁଛନ୍ତି।ପୁରାଣରେ ବର୍ଣ୍ଣନା ଅନୁଯାୟୀ, ଭକ୍ତଶ୍ରେଷ୍ଠ ଜୟଦେବ ଓ ଶ୍ରୀଚୈତନ୍ୟ ଦେବ ଭକ୍ତମାନଙ୍କ ସହ ମିଶି ଏହି ପୁଣ୍ୟତୋୟା ନଦୀର ପରିକ୍ରମା କରୁଥିଲେ।
ଜୟଦେବ ଓ ଶ୍ରୀଚୈତନ୍ୟଙ୍କର ସେହି ପଦାଙ୍କ ଅନୁସରଣ କରି ସାଧୁସନ୍ଥମାନେ ଅନ୍ଧ କପିଳେଶ୍ୱର ମନ୍ଦିର ଠାରୁ ପ୍ରାଚୀ ନଦୀର ଉତ୍ତର ଦିଗରେ ଯାତ୍ରା ଆରମ୍ଭ କରି ବାଟରେ ବିଭିନ୍ନ ପୀଠ ଓ ତୀର୍ଥମାନଙ୍କରେ ପ୍ରାଚୀ ଆଳତି, ଗୋ ପୂଜନ, ବୃକ୍ଷ ପୂଜନ, ମାତୃ ପୂଜନ, ପ୍ରବଚନ, କଥା ଆଦି କରି ସୋମବାର ମଧ୍ୟାହ୍ନରେ କାକଟପୁର ସ୍ଥିତ ଦେଉଳି ମଠ ନିକଟରେ ପହଂଚିଥିଲେ।ସନ୍ଧ୍ୟାରେ ଦେଉଳି ମଠ ଠାରେ ପ୍ରାଚୀ ଆଳତୀ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ରେ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ଅଧକ୍ଷ ପୂଜ୍ୟ ସ୍ୱାମୀ ଶୁଦ୍ଧାନନ୍ଦ ଗିରି, ପୂଜ୍ୟ ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ପୂଜ୍ୟ ବାବା ଦାମୋଦର ଦାଶ, ପୂଜ୍ୟ ବାବା ସତ୍ୟାନନ୍ଦ ଦାଶ ଏବଂ ଅନେକ ସାଧୁ ସନ୍ଥଙ୍କ ଅଂଶ ଗ୍ରହଣ କରିଥିଲେ। ମଙ୍ଗଳବାର ପ୍ରତ୍ୟୁଷରୁ ପ୍ରାତଃ ପ୍ରାଚୀ ଆଳତୀ ସମ୍ପର୍ଣ୍ଣ ପରେ ସାଧୁ ସନ୍ଥ ମାନେ ଅପ୍ସରା କ୍ଷେତ୍ର ସରିପୁର ଦେଈ କେଉଟଜଙ୍ଘା ସ୍ଥିତ କେଳୁଣୀ ମୁହାଁଣ ନିକଟରେ ପହଁଚିବେ।


