ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଡିସିପି
କଟକ(ଓ୍ବାଇଏନଏସ) : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁରୁଷ ବନ୍ଧୁ ଫେରାର ରହିବା, ମାମଲାକୁ ଆହୁରି ଜଟିଳ କରିଦେଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି, ଋଷିକେଶ ଡି. ଖିଲାରୀ । କହିଛନ୍ତି, ଡାକ୍ତରୀ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବା ସହଯୋଗୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମାମଲା ଉପରେ ପ୍ରତିକ୍ରିୟା ରଖି କଟକ ଡିସିପି ଋଷିକେଶ ଡି. ଖିଲାରୀ କହିଛନ୍ତି ଯେ, ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଖୋଜୁଥିବା ବେଳେ ସେ କେଉଁଆଡେ ଫେରାର ଅଛନ୍ତି । ତେଵେ ଭୀମସେନଙ୍କୁ କେହି ଆଶ୍ରୟ ଦେଲେ କିମ୍ବା ଫେରାର ହେବାରେ ସାହାଯ୍ୟ କଲେ, ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯିବ, ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି ।ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଗତକାଲି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ଭୀମସେନଙ୍କ ଆଗୁଆ ଜାମିନ ଆବେଦନକୁ କୋର୍ଟରେ ବିରୋଧ କରାଯିବ ବୋଲି ଡିସିପି କହିଛନ୍ତି । ସେହିପରି ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି । ଏସସିବି FMT ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ପୋଷ୍ଟମର୍ଟମ କରାଯାଇଛି । ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ କୌଣସି ପ୍ରକାରର ପ୍ରମାଣ ନାହିଁ । ଅର୍ଥାତ୍ ଶ୍ୱାସ ରୁଦ୍ଧ ହୋଇ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେଵେ ପୂର୍ଣ୍ଣାଙ୍ଗ ଫରେନସିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି । ଭୀମସେନ ଯଦିଓ ଜଣେ ସରକାରୀ ଚାକିରିଆ, ତେବେ ଚନ୍ଦ୍ରିକାଙ୍କୁ କେଉଁ ପ୍ରକାର ମାନସିକ ନିର୍ଯାତନା ଦେଉଥିଲେ ? ଯଦି ତାଙ୍କର କୌଣସି ଭୁଲ ନାହିଁ, ତେଵେ କାହିଁକି ସେ ପୋଲିସକୁ ସହଯୋଗ କରୁ ନାହାନ୍ତି ? ଫୋନ ବନ୍ଦ କରି କାହିଁକି ଫେରାର ହୋଇଛନ୍ତି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଗିରଫ ଏଡାଇବାକୁ ପୁରୁଷ ବନ୍ଧୁ ଆଗୁଆ ଜାମିନ ଆବେଦନ କରିବା, ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ତେଵେ ଏହି ମାମଲା ଏକ କଗ୍ନିଜେବଲ୍ ଅଫେନ୍ସ ହୋଇଥିବାରୁ ଆଇନଗତ ଭାବେ ସେ ବେଲ୍ ପାଇଁ ଆପ୍ଲାଏ କରିପାରିବେ, ଏଥିରେ କୌଣସି ନୂଆ କଥା ନାହିଁ । କିନ୍ତୁ ଯଦି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ, ଆଗୁଆ ଜାମିନ ଆବଦେନ କରିବା କେଉଁଠି ନାଁ କେଉଁଠି ଗିରଫଦାରୀ ଭୟ ତେଜିବାରେ ଲାଗିଥିବା ବେଳେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇପାରେ ବୋଲି ଆଇନଜୀବୀ ମତ ଦେଇଛନ୍ତି ।ବର୍ତ୍ତମାନ ସୁଦ୍ଧା ଭୀମସେନ ପୋଲିସ ରାଡାର ବାହାରେ ଥିବାରୁ ପୋଲିସ ଗିରଫ କରିବା ପାଇଁ ଉଦ୍ୟମ କରୁଛି । ତେବେ ବର୍ତ୍ତମାନ ଫେରାର ନରହି ପୋଲିସକୁ ତଦନ୍ତରେ ସହଯୋଗ କରିବା ଏବଂ ନିଜର ନିର୍ଦ୍ଦୋଷତାର ପ୍ରମାଣ ଦେବା ତାଙ୍କ ପାଇଁ ସବୁଠାରୁ ଭଲ ପଦକ୍ଷେପ ହେବ ବୋଲି ମତ ଦେଇଛନ୍ତି ଆଇନଜୀବୀ ଆଲୋକ ମହାପାତ୍ର । ଏହାରି ଭିତରେ ବାରଙ୍ଗ ପୋଲିସ ମୃତ ଚନ୍ଦ୍ରିକାଙ୍କ ମୋବାଇଲ୍ ଫୋନର କଲ୍ ଡିଟେଲ୍ସ ଓ ଟେକ୍ନିକାଲ୍ ଡାଟା ଉପରେ ଯାଞ୍ଚ ଚଳାଇଛି । ଯେଉଁଥିରୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିବା ପ୍ରମାଣ ମିଳିଛି । ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ଓ ପ୍ରେମିକର ପ୍ରତାରଣାର ସମସ୍ତ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ, ଏବେ ହାଇକୋର୍ଟରେ ହୋଇଥିବା ଆଗୁଆ ଜାମିନ ଆବେଦନ ଉପରେ ସମସ୍ତଙ୍କ ନଜର ରହିଛି ।ତ୍ରିଶୁଳିଆ ବ୍ରିଜ ନିକଟରୁ ଡାକ୍ତରୀ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ବାରଙ୍ଗ ଥାନା ପୋଲିସ ଏହି ଘଟଣାରେ ପ୍ରଥମେ ୟୁଡି କେସ ରୁଜୁ କରିଥିଲା । ହେଲେ ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ BNS 108ରେ ମାମଲା ରୁଜୁ କରିଥିଲା ।


