ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ

କଟକ, (ଓ୍ବାଇଏନଏସ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ଜିଲ୍ଲା ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଖାନତଲାସିରୁ ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଆଜି (ବୁଧବାର) ତାଙ୍କୁ କୋର୍ଟରେ ହାଜର କରାଯିବ । ଭିଜିଲାନ୍ସ ସ୍ପେଶିଆଲ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତଦନ୍ତ ସମୟରେ ବିପୁଳ ମାତ୍ରରେ ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଯାଞ୍ଚ ସମୟରେ ଭୁବନେଶ୍ୱରରେ ଦୁଇଟି ବହୁତଳ ପ୍ରାସାଦ (୮୦୦୦ ବର୍ଗଫୁଟ), ଉତ୍ତରା ଅଞ୍ଚଳରେ ଗୋଟିଏ ୨-ବିଏଚକେ ଫ୍ଲାଟ୍‌, ଖୋର୍ଦ୍ଧା ସହରରେ ଗୋଟିଏ ବହୁମହଲା କୋଠା (୪,୮୦୦ ବର୍ଗଫୁଟ) ସହିତ ୪ଟି ମୂଲ୍ୟବାନ ପ୍ଲଟ ଥିବା ନେଇ ଭିଜିଲାନ୍ସ ଜାଣିବାକୁ ପାଇଥିଲା । ସେହିପରି ଯାଞ୍ଚ ସମୟରେ ପ୍ରାୟ ୫୬୦ ଗ୍ରାମ ସୁନା, ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ମୋଟ ୩୬.୯୭ ଲକ୍ଷ ଟଙ୍କାର ଜମା, ବ୍ୟାଙ୍କରେ ତିନୋଟି ଲକର, ୭୩.୬୬ ଲକ୍ଷ ଟଙ୍କାର ନଗଦ ରାଶି ଓ ଗୋଟିଏ ଚାରି ଚକିଆ ଯାନ ମଧ୍ୟ ଜବତ କରାଯାଇଛି । ଜିତେନ୍ଦ୍ର କୁମାର ପଣ୍ଡାଙ୍କ ନିଜ ଘରୁ ୬.୨୦ ଲକ୍ଷ ନଗଦ ଟଙ୍କା ମିଳିଥିବା ବେଳେ ତାଙ୍କ ଶାଶୁଙ୍କ ଘରେ ଥିବା ଆଲମାରୀର ସିକ୍ରେଟ ଚାମ୍ବରରୁ ୬୬ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଏହି ସମସ୍ତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ପ୍ରମାଣ ଦେଇପାରିନଥିବାରୁ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଗତକାଲି (ମଙ୍ଗଳବାର) ହୋଇଥିବା ଚଢ଼ାଉରେ ୪ ଡିସିପି, ୭ ଇନିସପେକ୍ଟର, ଏଏସଆଇ ଙ୍କ ସହ ୧୦ ଜଣ ଅଫିସର ଓ କର୍ମଚାରୀ ସାମିଲ ହୋଇଥିଲେ । ଏହି ଘଟଣା ସଂପର୍କରେ ଭିଜିଲାନ୍ସ ସେଲ୍‌ ଥାନାର କେସ୍‌ ନମ୍ବର ୧୨/୨୦୨୫ ମାମଲା ରୁଜୁ କରାଯାଇଛି । ମାମଲାର ଆହୁରି ତଦନ୍ତ ଚାଲିଥିବା ବେଳେ, ଅଧିକ ସମ୍ପତ୍ତି ଓ ନେଣଦେଣ ସଂପର୍କିତ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଭିଜିଲାନ୍ସ କହିଛି । ସରକାରଙ୍କ ଥଇଥାନ ନିୟମ ଅନୁସାରେ, ଜିତେନ୍ଦ୍ରଙ୍କ ବାପାଙ୍କ ଦେହାନ୍ତ ପରେ ସେ ୧୯୯୫ ମସିହାରେ ପଶୁପାଳନ ଓ ପଶୁ ଚିକିତ୍ସା ବିଭାଗରେ ଲାବ ଟେକ୍ନିସିଆନ ଭାବେ ଚାକିରିରେ ଯୋଗ ଦେଇଥିଲେ । ଚାକିରି ଆରମ୍ଭ ସମୟରେ ସେ ୨୦୦୦ ଟଙ୍କ ମାସିକ ଦରମା ପାଉଥିଲେ । ୧୯୯୭ରେ ସେ ଭୁବନେଶ୍ୱର ଜୈବିକ ଉତ୍ପାଦ ପ୍ରତିଷ୍ଠାନକୁ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ଭାବେ ବଦଳି ହୋଇ ଆସିଥିଲେ । ୨୦୨୦ ମେ’ ମାସରେ ସେ ଓଡିଶା ରେଭିନ୍ୟୁ ସର୍ଭିସ (ORS)କୁ ପଦୋନ୍ନତ୍ତି ପାଇ ଭୁବନେଶ୍ୱରରେ ସବ୍ ରେଜିଷ୍ଟ୍ରାର୍ ଭାବେ ଯୋଗ ଦେଇଥିଲେ । ସେ ୨୦୨୧ରୁ ୨୦୨୩ ଯାଏଁ ପିପିଲିରେ ଅତିରିକ୍ତ ତହସିଲଦାର ଓ ପିପିଲି ସବ୍ ରେଜିଷ୍ଟ୍ରାର୍ ଥିଲେ । ୨୦୨୩ ଜୁଲାଇରୁ ଅଦ୍ୟାବଧି ସେ ବାରଙ୍ଗରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ୩୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ତାଙ୍କ ପାଖରୁ ଭିଜିଲାନ୍ସ ତିନି କୋଟିରୁ ଅଧିକ ସମ୍ପତ୍ତି ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ