ଉଠା ଜଳସେଚନ ପ୍ରକଳ୍ପ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡା, (ଲିଲାମ୍ବର ନାଗ): ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି) ଅଧୀନରେ ଚାଲୁଥିବା ଉଠା ଜଳସେଚନ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରୁ ଜଣାଗଲା ଯେ, ଜିଲ୍ଲାରେ ୧୦୦୦ଟି ସୋଲାର ଡିପ ବୋରୱେଲ ମଧ୍ୟରୁ ୮୭୬ଟି ସ୍ଥାନରେ ସୋଲାର ପ୍ୟାନେଲ ସ୍ଥାପନ କାର୍ଯ୍ୟ ସମାପ୍ତ ହୋଇଛି । ଅବଶିଷ୍ଟ ୧୨୪ଟି ମଧ୍ୟରୁ ୬୨ଟି ବୋରୱେଲରେ ସୋଲାର ସ୍ଥାପନ କାର୍ଯ୍ୟ ହୋଇସାରିଛି । ସେହିପରି ୧୦୬୪ଟି ପାରମ୍ପରିକ ଡିପ ବୋରୱେଲ ମଧ୍ୟରୁ ୯୫୧ଟି ସଫଳତାର ସହ ଖନନ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଅବଶିଷ୍ଟ କାମ ଚଳିତ ମାସ ଶେଷ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରହିଛି ।ସିଏଲଆଇପି ପ୍ରକଳ୍ପ ଅଧୀନରେ ୨୭ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଜାରି ହୋଇ କାମ ଆରମ୍ଭ ହୋଇଛି । ଏଥିରୁ ୨ଟି ପ୍ରକଳ୍ପ ସମାପ୍ତ ହୋଇଥିବା ବେଳେ ୧୨ଟି ପ୍ରକଳ୍ପ ବିଦ୍ୟୁତ ସଂଯୋଗ ଅପେକ୍ଷାରେ ଅଛି ଏବଂ ୧୩ଟି ପ୍ରକଳ୍ପର କାମ ଚାଲିଛି । ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୬୯ଟି ଉଠା ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଡିପିଆର ଓଏଲଆଇସି ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରକୁ ପ୍ରେରଣ କରାଯାଇଛି । ଅନୁମୋଦନ ପ୍ରାପ୍ତି ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହା ସହିତ ଅବଶିଷ୍ଟ ୪୭୬ଟି କ୍ଲଷ୍ଟର ପାରମ୍ପରିକ ଡିପ ବୋରୱେଲ ସ୍ଥାପନ ପାଇଁ ବିଦ୍ୟୁତୀକରଣ ସମ୍ପର୍କିତ ଡିପିଆର ମଧ୍ୟ ଓଏଲଆଇସି ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି ଏବଂ ଟେଣ୍ଡର ପ୍ରକ୍ରିୟା ପାଇଁ ଅପେକ୍ଷା କରାଯାଆଇଛି । ସେହିପରି ଅବଶିଷ୍ଟ ୩୦୫ଟି ସୋଲାର ଡିପ ବୋରୱେଲ ସ୍ଥାପନ ପାଇଁ ଡିପିଆର ପ୍ରେରଣ କରାଯାଇଥିବା ବେଳେ ଓଏଲଆଇସି ପରିଚାଳନା ନିର୍ଦ୍ଦେଶକଙ୍କ ଅନୁମୋଦନ ଅପେକ୍ଷାରେ ଅଛି ।ବୈଠକରେ ଓଏଲଆଇସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ସେଠୀ, ଟିପିଡବ୍ଲିଓ ଡିଏଲର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଖ୍ୟାତ ଦେବ ପରିଡା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ବୁଡାଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଉଠା ଜଳସେଚନ ସମ୍ପର୍କିତ ସମସ୍ତ ପ୍ରକଳ୍ପ ଉପଯୁକ୍ତ ଗୁଣବତ୍ତା ସହିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ