ଆସନ୍ତା ୨ ରେ ଆସିକା ଡାକମଣ୍ଡଳର ସମସ୍ତ କାରବାର ବନ୍ଦ
ଆସିକା (ୱାଇଏନ୍ଏସ୍): ଭାରତୀୟ ଡାକବିଭାଗ ପକ୍ଷରୁ ଗ୍ରାହକମାନଙ୍କୁ ଆହୁରି ଅଧିକ ତଥା ଉତ୍କୃଷ୍ଟ ସେବା ଯୋଗାଇଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ନୂତନ ତଥା ଉନ୍ନତ ଟେକ୍ନୋଲୋଜି ପ୍ଳାଟଫର୍ମର ଶୁଭାରମ୍ଭ ଆସନ୍ତା ୪ ତାରିଖରେ ହେବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଆସିକା ଡାକମଣ୍ଡଳ ଅଧୀନସ୍ଥ ଆସିକା ଓ ଭଂଜନଗର ପ୍ରଧାନ ଡାକଘର, ୪୫ଟି ଉପଡାକଘର ଓ ୨୮୬ଟି ଶାଖା ଡାକଘରେ ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଏହାର ଶୁଭାରମ୍ଭ ହେବ ବୋଲି ଜଣାପଡିଛି । ଏଣୁ ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ସମସ୍ତ ଡାକ ଉପଭୋକ୍ତାଙ୍କ ସୂଚନା ନିମନ୍ତେ ଆସନ୍ତା ଅଗଷ୍ଟ ମାସ ୨ ତାରିଖ ଶନିବାର ଦିନ ଆସିକା ଡାକମଣ୍ଡଳ ଅଧୀନସ୍ଥ ସମସ୍ତ ପ୍ରଧାନ ଡାକଘର ଓ ଉପଡାକଘର ଏବଂ ଶାଖା ଡାକଘର ଗୁଡିକରେ ଏ ସଂକ୍ରାନ୍ତୀୟ ପ୍ରସ୍ତୁତି ପ୍ରକ୍ରିୟା ଯୋଗୁଁ ଡାକସେବା ଓ କାରବାର ବନ୍ଦ ରହିବ । ଏଥି ନିମନ୍ତେ ଜନସାଧାରଣ, ଗ୍ରାହକ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏଥିରେ ସହଯୋଗ କରିବାକୁ ଆସିକା ଡାକମଣ୍ଡଳ ଅଧିକ୍ଷୀକା ଶ୍ରୀମତୀ କିରଣମାଳା ପଣ୍ଡା ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଆସିକା ଡାକମଣ୍ଡଳ ଅଧୀନସ୍ଥ ସମସ୍ତ ଡାକଘରେ ବ୍ୟବହୃତ ଏସ୍ଏପି ସଫ୍ଟୱେର୍କୁ ପରିବର୍ତ୍ତନ କରି ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏପିଟି ଆଟି ୨.୦ (ଆଡ୍ଭାନ୍ସ ପୋଷ୍ଟାଲ୍ ଟେକ୍ନୋଲୋଜି ୨.୦) ସଫ୍ଟୱେର୍ ପ୍ରଚଳିତ ହେବ । ଏହା ଦ୍ୱାରା ଡାକସେବା ଅଧିକ ତ୍ୱରାନ୍ୱିତ ହେବା ସାଙ୍ଗକୁ ଅନ୍ୟାନ୍ୟ ସଫ୍ଟୱେର୍ଜନିତ ସମସ୍ୟାର ତ୍ୱରିତ୍ ସମାଧାନ ହୋଇପାରିବ । ଏହା ସାଙ୍ଗକୁ ଡାକସେବା ଅପେକ୍ଷାକୃତ ସହଜ, ସରଳ, ଦ୍ରୁତ, ସୁରକ୍ଷିତ ଓ ସରଳୀକରଣ ହୋଇପାରିବ । ଭାରତୀୟ ଡାକବିଭାଗ ଏହି ନୂତନ ଯୁଗରେ ନିଜକୁ ଆଧୁନିକ କରିବା ସହିତ ନୂତନ ପ୍ରଯୁକ୍ତି ବିଦ୍ୟାକୁ ଆପଣାଇ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ ଦିଗରେ ଆରମ୍ଭ କରିଥିବା ପ୍ରୟାସକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି ।