ସେବା ସମବାୟ ସମିତି ସମ୍ପାଦକଙ୍କୁ ମାଡ଼ ଅଭିଯୋଗ

ହାଟଡ଼ିହି,(ଓ୍ବାଇଏନଏସ): ଡ଼ଅଁର ସେବା ସମବାୟ ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କୁ ରାସ୍ତାରେ ଅଟକାଇ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଆଜି ଦିବା ୧୧ଟା ସମୟରେ ସମ୍ପାଦକ ଶ୍ରୀନାୟକ ଡ଼ଅଁର କାର୍ଯ୍ୟାଳୟରୁ ଛେନାପଦି ସ୍ଥିତ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ହାଟଡ଼ିହି ଶାଖାକୁ ଆସୁଥିବା ସମୟରେ କଳିଗାଁ ଓ ମୁଦୁଲିପଦା ମଧ୍ୟସ୍ଥ ଅଚ୍ୟୁତ ଦାସଙ୍କ ଘର ସମ୍ମୁଖରେ ରଘୁନାଥପୁର ଗ୍ରାମର ଅକ୍ଷୟ ଧଳ, ତାଙ୍କ ପୁଅ ଅମରେନ୍ଦ୍ର ଧଳ,  ଓ ତାମ୍ପଳା ଗ୍ରାମର ଅରୁଣ ରାଉତଙ୍କ ପୁଅ ପ୍ରତାପ କୁମାର ରାଉତ(ଚାନ୍ଦୁ) ହଠାତ୍ ଉମାକାନ୍ତଙ୍କ ବାଇକକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । କିଛି ବୁଝିବା ପୂର୍ବରୁ ଉମାକାନ୍ତ ସାଙ୍ଗରେ ନେଇ ବ୍ୟାଙ୍କକୁ ଯାଉଥିବା ସେବା ସମବାୟ ସମିତି କାର୍ଯ୍ୟାଳୟର ରସିଦ ବହି, ୨୦୨୩-୨୪ ମସିହାର କ୍ୟାସ ବୁକ୍ ସହ ଅଫିସର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ତାଙ୍କ ମୋବାଇଲ ଫୋନ ଆଦିକୁ ଛଡ଼ାଇ ନେଇଥିଲେ। ମାଡ଼ ମାରୁଥିବା ସମୟରେ ଅମରେନ୍ଦ୍ର ଧଳ ଉକ୍ତ ସମବାୟ ସମିତିର ଡାଇରେକ୍ଟର ମାନଙ୍କ ମଧ୍ୟରେ ସୁରେନ୍ଦ୍ର କାଣ୍ଡି, ବ୍ରଜକିଶୋର ଜେନା, ବିଦ୍ୟାଧର ଜେନା, ଯୁଗଳ କିଶୋର ଦାସ, ଗଦାଧର ଦାସ ପ୍ରମୁଖଙ୍କୁ ଡ଼କାଇ ସେମାନଙ୍କ ସମ୍ମୁଖରେ ମାଡ଼ ମାରିବା ସହ ତାଙ୍କ ବାଇକ ଚାବି ମଧ୍ୟ ଛଡ଼ାଇ ନେଇଥିବା ନେଇ ଉମାକାନ୍ତ ନାୟକ ଅଭିଯୋଗ କରିଛନ୍ତି ।ଘଟଣା ଘଟିବା ସମୟରେ ନନ୍ଦିପଦା ପୁଲିସ ଉକ୍ତ ରାସ୍ତାରେ ଯାଉଥିବା ବେଳେ ପୁଲିସ ଉମାକାନ୍ତଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ ।ପୁଲିସଙ୍କ ଅନୁମତିକ୍ରମେ ସମ୍ପାଦକ ଉମାକାନ୍ତ ନାୟକ ଥାନା ପରିସରରୁ ବାହାରକୁ ଏଫ୍ ଆଇ ଆର ଲେଖିବାକୁ ଆସିଥିବା ବେଳେ ଶାଳକଣିଆଁ ଗ୍ରାମର  ସନ୍ତୋଷ କୁମାର ସାମଲ ନନ୍ଦିପଦା ଥାନା ସମ୍ମୁଖରେ ଉମାକାନ୍ତଙ୍କୁ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଦୌଡ଼ି ପଳାଇବା ସମୟରେ ପୁଲିସ ସନ୍ତୋଷକୁ ଅଟକ ରଖିଥିବା ଜାଣିବାକୁ ମିଳିଛି । ଅନ୍ୟ ପକ୍ଷରେ  ପୂର୍ବତନ ସମବାୟ ସମିତି ଡ଼ଅଁର ସଭାପତି ଅକ୍ଷୟ ଧଳ ମଧ୍ଯ ନନ୍ଦିପଦା ଥାନାରେ ସମ୍ପାଦକ ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି, ସମ୍ପାଦକ ଶ୍ରୀନାୟକ ଗତବର୍ଷ ଧାନ କିଣିବା ପାଇଁ ତାଙ୍କ ଠାରୁ ଧାର ସୂତ୍ରରେ ୫ଲକ୍ଷ ଟଙ୍କା ନେଇ ଫେରସ୍ତ ନଦେଇ ବାରମ୍ବାର ଠକି ଆସୁଥିଲେ।ଏପରିକି ଫୋନ କଲେବି ଦେଖା ଦେଉନଥିଲେ। ଆଜି ହଠାତ୍ ଭେଟ ହେବାରୁ ଅକ୍ଷୟ ତାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ମଗା ଘଟଣାକୁ ବିଭିନ୍ନ ରୂପରେଖ ସହ ରଙ୍ଗଦେଇ ଉମାକାନ୍ତ ଆମ ମାନଙ୍କ ନାମରେ ମିଛ ଅଭିଯୋଗ କରିଛନ୍ତି ।ସେଭଳି କୌଣସି ଆପତ୍ତି ଜନକ ଘଟଣା ଉପୁଜିନାହିଁ ବୋଲି ଅକ୍ଷୟ ଧଳ କହିଛନ୍ତି l ତେବେ, ମାଡ଼ ନିର୍ଯ୍ୟାତନାର ଶିକାର ହୋଇ ଉମାକାନ୍ତ ଥାନାରେ ଅଭିଯୋଗ କରିଥିବା ବେଳେ ଏଭଳି ଘଟଣାକୁ ନେଇ ଜିଲ୍ଲା ସମ୍ପାଦକ ସଂଘକୁ ଜଣାଇଛନ୍ତି। ସମ୍ପାଦକ ସଂଘର ଉପସଭାପତି ଶରତ ଚନ୍ଦ୍ର ସେଠୀ ଏପରି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଡ଼ିଆରସିଏସଙ୍କୁ  ଏ ସମ୍ବନ୍ଧରେ ଅବଗତ କରିଛନ୍ତି । ଯଦି ଅଭିଯୁକ୍ତ ମାନଙ୍କୁ ଗିରଫ କରା ନଯାଏ ତେବେ ଆସନ୍ତା କାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ବୋଲି ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ