ବାଙ୍ଗାଲୋରରେ ନାବାଳିକା ଛାତ୍ରୀଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ବାଙ୍ଗାଲୋରରେ ଛାତ ଉପରୁ ଠେଲି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମୃତ ଛାତ୍ରୀଙ୍କ ମା’ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଯାଜପୁର ରୋଡ୍ସ୍ଥିତ ଭିଏନ୍ କଲେଜରେ ପଢ଼ୁଥିବା ବେଳେ ଏକ ହଷ୍ଟେଲରେ ରହି ନିକଟସ୍ଥ ଏକ କୋଚିଂ ସେଣ୍ଟରରେ ପାଠ ପଢ଼ୁଥିଲେ। ୨୦୨୪ ଡିସେମ୍ବର ୧୪ ତାରିଖରେ ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିବା ନେଇ ହଷ୍ଟେଲ ତଥା କୋଚିଂ ସେଣ୍ଟରର ମାଲିକ ସୁବ୍ରତ ସାହୁ ଯାଜପୁର ରୋଡ୍ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ ମାମଲା ନଂ ୭୦୧/୨୦୨୪ ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ନନ୍ଦିପଦା ପୁଲିସର ସହାୟତାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ଏହାର ପ୍ରାୟ ଦୁଇ ମାସ ପରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ କରଞ୍ଜପଡ଼ା ଗ୍ରାମର ମଦନ ସା’ଙ୍କ ପୁଅ ବାଦଲ ସା’ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ବାଙ୍ଗାଲୋର ନେଇଯାଇଥିଲେ। ପରେ ଉଭୟ ବାଙ୍ଗାଲୋରର ମଙ୍ଗଲପାଲିଆ ଅଞ୍ଚଳର ରୂପିଆ ନଗର ଥାନା ଅଧୀନରେ ରହୁଥିବା ସମ୍ପର୍କରେ ଛାତ୍ରୀଙ୍କ ପରିବାରକୁ ଜଣାଇଥିଲେ। ଗତ ୧୩ ଅକ୍ଟୋବର ୨୦୨୬ରେ ବାଦଲ ସା’ ଛାତ୍ରୀଙ୍କୁ ଛାତ ଉପରୁ ଠେଲି ହତ୍ୟା କରିଥିଲେ। ଛାତ୍ରୀଙ୍କ ମୃତଦେହ ଗାଁକୁ ଆଣିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରି ତାଙ୍କ ମା’ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ଘଟଣାକୁ ନେଇ ଜିରୋ ଏଫ୍ଆଇଆର୍ ରୁଜୁ କରାଯାଇଛି।


