ନାଉଗାଁ ବ୍ଳକରେ ଏମ୍ଜିଏନ୍ଆରଇଜିଏସ୍ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍ଜିଏନ୍ଆରଇଜିଏସ୍) କେନ୍ଦ୍ର ସରଜାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ କର୍ଯ୍ୟକାରୀ କରାଯାଉଛି। କିନ୍ତୁ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଓ ପାଣ୍ଠିର ଅପବ୍ୟବହାର କରାଯିବା ସହ ଅନେକ ସ୍ଥାନରେ ଶ୍ରମିକ ବଦଳରେ ମେସିନ ମାଧ୍ୟମରେ କାର୍ଯ୍ୟ କରାଯାଉଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଉକ୍ତ ଯୋଜନାର ନାମକୁ ପରିବର୍ତନ କରାଯାଇ ଭିବି-ଜି-ରାମ-ଜି ଆଇନ ପ୍ରଣୟନ କରାଯିବା ସହ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଛି। କିନ୍ତୁ ଜଗତସିଂହପୁର ଜିଲା ନାଉଗାଁ ବ୍ଳକରେ ଉକ୍ତ ଆଇନକୁ ଖୁଲମଖୁଲା ଉଲଘଂନ କରାଯାଇଥିବା ଦେଖାଦେଇଛି। ଏହି ଯୋଜନାକୁ ସଠିକ୍ ରୂପେ ପରିଚାଳନା କରାଯିବା ସହିତ ସ୍ୱଚ୍ଛତା ପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀ ନିଯୁକ୍ତ ରହିଥିବା ବେଳେ ତଦାରଖ ଅଭାବରୁ ଯୋଜନା ବାଟବଣା ହେଉଥିବା ଜଣାଯାଇଛି। ଏପରିକି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଦର୍ଶାଯିବା ପାଇଁ ଗୋଟିଏ ମୋବାଇଲରେ ରହିଥିବା ଫଟୋରୁ ଅନ୍ୟ ଏକ ମୋବାଇଲ ମାଧ୍ୟମରେ ଫଟୋ ଉଠାଯାଇ ଶ୍ରମିକମାନଙ୍କ ଉପସ୍ଥାନ ଦର୍ଶାଯାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡେରିକି ପଂଚାୟତର ଡେରିକି ଗାଦିବ୍ରହ୍ମ ପୀଠରେ ହୋଇଥିବା ‘ମା’ ପାଇଁ ଗଛ ଟିଏ’ଯୋଜନାର ଚାରାରୋପଣ ପ୍ରକଳ୍ପରେ। ଏହି ପ୍ରକଳ୍ପଟି ଏମ୍ଜିଏନ୍ଆରଇଜିଏସ୍ ଯୋଜନାରେ କାର୍ଯ୍ୟ ହେଉଥିବା ବେଳେ ମଷ୍ଟରରୋଲ ସଂଖ୍ୟା -୨୪୪୦ରେ ଶ୍ରମିକମାନଙ୍କ ଉପସ୍ଥାନ ଦର୍ଶାଇବା ପାଇଁ ଜାତୀୟ ମୋବାଇଲ୍ ମନିଟରିଂ ସିଷ୍ଟମ(ଏନ୍ଏମ୍ଏମ୍ଏସ୍)ଆପରେ ଫଟୋ ନିଆଯାଇଛି। ଏମ୍ଜିଏନ୍ଆରଇଜିଏସ୍ ପୋର୍ଟାଲର ତଥ୍ୟ ଅନୁସାରେ ଏହି ବ୍ଲକର ଡେରିକି ପଂଚାୟତର ଡେରିକି ଗାଦିବ୍ରହ୍ମ ପୀଠରେ ‘ମା’ପାଇଁ ଗଛ ଟିଏ’ଯୋଜନାରେ ଚାରାରୋପଣ କାର୍ଯ୍ୟ କରାଯାଉଛି। ଏହି ପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଜବକାର୍ଡଧାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ବ୍ୟବହାର ହୋଇଥିବା ମଷ୍ଟରରୋଲ ସଂଖ୍ୟା-୨୨୪୦ ରେ ୨୪ ଡିସେମ୍ବର ୨୦୨୫ ରେ ଏନ୍ଏମ୍ଏମ୍ଏସ୍ ଆପରେ ଜବକାର୍ଡଧାରୀଙ୍କ ଉପସ୍ଥାନ ନିଆଯାଇଛି। ଯାହାକି ଏକ ମୋବାଇଲ୍ରେ ଥିବା ଫଟୋକୁ ଏନ୍ଏମ୍ଏମ୍ଏସ୍ ଆପ ଥିବା ଅନ୍ୟ ଏକ ମୋବାଇଲ୍ରେ ଫଟୋ ଉତୋଳନ କରାଯାଇ ଏମ୍ଜିଏନ୍ଆରଇଜିଏସ୍ ପୋର୍ଟାଲରେ ଅପଲୋଡ କରାଯାଇଥିବା ଦେଖାଯାଇଛି। ଏହି ଫଟୋକୁ ଗ୍ରାମ ପଂଚାୟତ ସ୍ତରରୁ ବିଶ୍ୱବିଜୟୀ ସ୍ୱାଇଁଙ୍କ ଦ୍ୱାରା ନିଆଯାଇଛି। କେବଳ ଏହି ଗୋଟିଏ ପଂଚାୟତ ନୁହେଁ ନାଉଗାଁ ବ୍ଲକର ଅଧିକାଂଶ ପଂଚାୟତରେ ହେଉଥିବା ଏମ୍ଜିଏନ୍ଆରଇଜିଏସ୍ କାର୍ଯ୍ୟରେ କାର୍ଯ୍ୟ ନ ହୋଇ ଏହିଭଳି ଭାବେ ଏକ ମୋବାଇଲ୍ରେ ଥିବା ଫଟୋକୁ ଏନ୍ଏମ୍ଏମ୍ଏସ୍ ଆପ ଥିବା ଅନ୍ୟ ଏକ ମୋବାଇଲ୍ରେ ଫଟୋ ଉତୋଳନ କରାଯାଇ ଅପଲୋଡ କରାଯାଉଥିବା ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ଜିଲ୍ଲାର ଏମ୍ଜିଏନ୍ଆରଇଜିଏସ୍ ସଂଯୋଜକ ଠାରୁ ବ୍ଲକ ଏପିଓ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ ମଧ୍ୟ ଏଡିଇଓ ଓ ଗାଁ ସାଥିମାନେ ବିନା କାର୍ଯ୍ୟରେ ଆଇନକୁ ଖୁଲମଖୁଲା ଉଲଘଂନ କରୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରିବା ସେମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂର୍ପକରେ ଜିଲ୍ଲା ଏମ୍ଜିଏନ୍ଆରଇଜିଏସ୍ ସଂଯୋଜକ ମଧୁସ୍ମିତା ବିଶ୍ୱାଳଙ୍କ ମତାମତ ନେବା ପାଇଁ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।


