ବସ୍ ଚାଳକ ଙ୍କୁ ଦୁର୍ବ୍ୟବହାର ଓ ସରକାରୀ ଗାଡ଼ି ଭଙ୍ଗାରୁଜା ଅଭିଯୋଗ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ରାଜ୍ୟ ପରିବହନ ନିଗମ ର ସରକାରୀ ଯାତ୍ରୀବାହୀ ବସ କୁ ଅଟକାଇ ଚାଳକ ଙ୍କୁ ଦୁର୍ବ୍ୟବହାର ଏବଂ ବସ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି।ଏନେଇ ଚାଳକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି । ଗତ ୩୧ ତାରିଖ ବୁଧବାର ବିଳମ୍ୱିତ ରାତି ପ୍ରାୟ ୧ଟା ସମୟରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଠାରେ କିଛି ଯୁବକ ଜିରୋ ନାଇଟ ସେଲିବ୍ରେଟ କରିଥିଲେ । ସେହି ସମୟରେ ଭୁବନେଶ୍ବରରୁ ଭାୟା ଦିଗପହଣ୍ଡି ଦେଇ କୋରାପୁଟ ଅଭିମୁଖେ ଯାଉଥିବା ସରକାରୀ ବସ ନଂ. ( ଓଡି ୦୨ ସିଟି- ୪୨୦୪) କୁ ସେମାନେ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଚାଳକ ବସ ସେଠାରେ ନ ରଖି ଦ୍ରୁତ ଗତିରେ ଚାଲି ଯାଇଥିଲା । ଏହାପରେ ଯୁବକ ମାନେ ଏକ କାର ନଂ. ( ଓଡି ୦୭ ଏ ଏନ୍ ୬୨୪୬ ) ଯୋଗେ ବସର ପିଛା କରି ଦିଗପହଣ୍ଡି ପୁଞ୍ଜିକଂୟା ଛକଠାରୁ ଅଳ୍ପ ଦୂରରେ ବସ୍ କୁ ଅଟକାଇ ଚାଳକଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ନିଶାସକ୍ତ ଯୁବକ ମାନେ ବସ କୁ ଟେକା , ପଥର ମାଡ଼ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ବସର ସମ୍ମୁଖ ଭାଗ କାଚ ଭାଙ୍ଗିଦେଇ ସେଠାରୁ ଚାଲି ଯାଇଥିଲେ । ଏହାପରେ ବସଟି ସୁରକ୍ଷିତ ଅବସ୍ଥାରେ କୋରାପୁଟ ଅଭିମୁଖେ ଯାତ୍ରା କରିଥିବା ବେଳେ ଶୁକ୍ରବାର କୋରାପୁଟରୁ ଭୁବନେଶ୍ବର ଫେରିବା ବାଟରେ ଦିଗପହଣ୍ଡି ଥାନାରେ ପହଞ୍ଚି ଚାଳକ ରଘୁନାଥ ସାହୁ ୫ ଜଣ ଯୁବକଙ୍କ ନାଁ ରେ ଏତଲା ଦେଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ଯୁବକ ମାନଙ୍କ ପରିଚୟ ଜଣା ପଡିନଥିବା ବେଳେ ଚାଳକ ଙ୍କ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ. ୧/୨୬ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ଏଏସଆଇ ମନୋଜ ସିଂ ଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।


