ଓଡ଼ିଆ ପକ୍ଷ ଅବସରରେ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାରେ ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସ ଅବସରରେ “ପାରମ୍ପରିକ ଖାଦ୍ୟ ଆମ ରୁଚି ଆମ ଖାଦ୍ୟ” ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ, ପୌରାଞ୍ଚଳ ତଥା ପୌରପରିଷଦ ପରିସରରେ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ଅଂଶ ସ୍ୱରୂପ ପାରମ୍ପରିକ ଖାଦ୍ୟ ପରମ୍ପରାକୁ ସମ୍ମାନ ଜଣାଇ ଏହି ଉତ୍ସବ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ପଞ୍ଚାୟତି ରାଜ ଓ ନଗର ଉନ୍ନୟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଖାଦ୍ୟର ବିବିଧତା ଓ ସାଂସ୍କୃତିକ ମହତ୍ତ୍ୱକୁ ଉଜାଗର କରାଯାଇଛି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରତି ଆଗ୍ରହ ଓ ଗୌରବ ସୃଷ୍ଟି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସଦର ମହକୁମାସ୍ଥିତ ମିଶନ ଶକ୍ତି କାଫେ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାନ୍ୟବର ଅଧ୍ୟକ୍ଷ ଜ଼ିଲ୍ଲାପରିଷଦ ଶ୍ରୀ ନାରାୟଣ ପ୍ରଧାନ କହିଥିଲେ ଯେ ଆମ ପାରମ୍ପରିକ ଖାଦ୍ୟ କେବଳ ରୁଚିରେ ନୁହେଁ, ଆମ ସଂସ୍କୃତି ଓ ପରିଚୟରେ ମଧ୍ୟ ଅନନ୍ୟ। ଏହାକୁ ସଂରକ୍ଷଣ ଓ ପ୍ରଚାର କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ଡ଼. ମଧୁସ୍ମିତା ସାମନ୍ତରାୟ, ସଦର ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ନାୟକ, ଡେପୁଟି କଲେକ୍ଟର ଶ୍ରୀ ସୀତାଂଶୁ ଶେଖର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ବିନୀ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଡିପିସି ମିଶନ ଶକ୍ତି ଶ୍ରୀ କାର୍ତିକ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।