ସରଳ ପ୍ରାଥମିକ ବିଦ୍ୟାଳୟର ଭଙ୍ଗା ଶ୍ରେଣୀରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ ସରଳ ପ୍ରାଥମିକ ବିଦ୍ୟାଳୟର ଏକ ଭଙ୍ଗା ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଜଣାଯାଇଛି। ଆଠ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ହୋଇ ପାରୁନି। ଏନେଇ ଗ୍ରାମବାସୀ ମାନେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବି କିଛି ସୁଫଳ ମିଳିନଥିବା ସୁଦାମ ଜେନା, ଅଶୋକ ଜେନା, ନିରଞ୍ଜନ ପଲେଇ, ବିଜୟ କୁମାର ଜେନା, ଦିପ୍ତିମୟୀ ଜେନା ପ୍ରମୁଖ ଅଭିଭାବକ ମାନେ କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଅଙ୍ଗନବାଡି ର ନିଜସ୍ବ ଘର ନଥିବାରୁ ସ୍କଲ ବାରଣ୍ଡାରେ ଚାଲିଥିଲା। ମାତ୍ର ବିଦ୍ୟାଳୟ ର ଶ୍ରେଣୀଗୃହ ଅଭାବ ଯୋଗୁଁ ସେମାନେ ବାରଣ୍ଡାରେ ଛୁଆ ଙ୍କୁ ବସାଇ ଶିକ୍ଷାଦାନ କରିବା ପରେ ଅଙ୍ଗନବାଡି ପାଇଁ ସ୍ଥାନ ମିଳିନଥିଲା। ଫଳରେ ବିଦ୍ୟାଳୟର ପୁରୁଣା ପରିତ୍ୟକ୍ତ ଶ୍ରେଣୀ ଗୃହରେ ୩୭ଜଣ ଛୁଆଙ୍କୁ ବସାଇ ବାଧ୍ୟ ହୋଇ ଶିକ୍ଷାଦାନ କରୁଛୁ, ଏପରିକି କୌଣସି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରି ପାରୁନୁ ବୋଲି ଅଙ୍ଗନବାଡି କର୍ମୀ ପ୍ରତିମା ରାଉତ କହିଛନ୍ତି। ସେ କହିଛନ୍ତି ଯେ ପୁରୁଣା ଘରର ଛାତ ଖସୁ ଥିବାରୁ ଆମେ ଛୁଆ ମାନଙ୍କୁ ଗୋଟିଏ କୋଣରେ ବସାଇ ପାଠ ପଢାଇ ଥିବା ବେଳେ ଆଉ ଗୋଟିଏ କୋଣରେ ରୋଷେଇ କରୁଛୁ। ଘର ଟି ବିପଦ ସଙ୍କୁଳ ହେଇଥିଲେ ବି ଅନ୍ୟ କୌଣସି ସୁବିଧା ନଥିବାରୁ ଆମେ ବାଧ୍ୟ ହେଉଛୁ ବୋଲି କହିଛନ୍ତି। ସରକାର ତୁରନ୍ତ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରି ଶିକ୍ଷାଦାନ ର ସୁବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।