ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ଆସିକା (ୱାଇଏନ୍‍ଏସ୍‍) :ଆସିକା ନିକଟସ୍ଥ ରେଡି ଦାମୋଦରପଲ୍ଲୀ ଗ୍ରାମରେ ୨୦୦୨ ମସିହାରେ ସ୍ଥାପିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୪ତମ ବାର୍ଷିକ ଉତ୍ସବ ସମାରୋହ ଏବଂ ଶ୍ରୀ ଅରବିନ୍ଦ ଦିବ୍ୟ ଚେତନା ଆଶ୍ରମର ଚତୁର୍ଥ ବାର୍ଷିକ ଉତ୍ସବ ଓ ଶ୍ରୀ ଅରବିନ୍ଦ ପାଠଚକ୍ରର ୫୫ତମ ବାର୍ଷିକ ଉତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରିନ୍ସିପାଲ୍‍ ସୁକାନ୍ତ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ବି.ପାଣ୍ଡବ ରେଡିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଧକ ଅନାଦି ଚରଣ ସ୍ୱାଇଁ, ଆଧ୍ୟାତ୍ମିକପ୍ରେମୀ ଜି.ଲଛମା ରେଡି ଓ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ଅବସରପ୍ରାପ୍ତ ବରିଷ୍ଠ ପଦାଧିକାରୀ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀମା ଏବଂ ଶ୍ରୀଅରବିନ୍ଦଙ୍କ ପରମ ଭକ୍ତ ଟି.ଗୋବିନ୍ଦ ରେଡି ପ୍ରମୁଖ ଯୋଗଦେଇ ବିଶ୍ୱ ଜନନୀ ଭାବେ ଚୀର ବନ୍ଦନୀୟ ଓ ଚୀର ପୂଜିତା ଶ୍ରୀମା ଏବଂ ଯୁଗାବତାର ଶ୍ରୀ ଅରବିନ୍ଦଙ୍କ ଜୀବନାଦର୍ଶ ଓ ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ ଆଲୋକପାତ କରି କଠିନ ପରିଶ୍ରମ ହିଁ ସଫଳତାର ମହୌଷଧି ହୋଇଥିଲା ବେଳେ ଛାତ୍ରଛାତ୍ରୀ ମାନେ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବା ସହ ଆତ୍ମସଂଯମୀ ଓ ଶୃଙ୍ଖଳିତ ହୋଇ ଏହି ମାଟିର ଗୌରବ ଓ ସୁନାମକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ମେଧାବୀ ବିଦ୍ୟାର୍ଥୀ ବି.ଅପଲକ ପ୍ରିୟଦର୍ଶି ରେଡି ନିଜର ସୁମଧୁର କଣ୍ଠରେ ପ୍ରାରମ୍ଭିକ ମାତୃସଙ୍ଗୀତ ଗାନ କରିଥିଲା ବେଳେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକଙ୍କୁ ବିମୋହିତ କରି ଦେଇଥିଲା । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏହି ୨୪ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଶିବପ୍ରସାଦ ପଣ୍ଡା, ସନ୍ତୋଷ କୁମାର ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ରେଡି, ସୋନମ୍‍ ରେଡି, ସ୍ୱପ୍ନାରାଣୀ ସେଠୀ, ବାସନ୍ତି ସେଠୀ, ଝରଣା ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଅଞ୍ଚଳବାସୀ, ଅଭିଭାବକ, ସଚେତନ ନାଗରିକ, ଗ୍ରାମବାସୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ରେଡି ଦାମୋଦରପଲ୍ଲୀ ଗ୍ରାମ ସ୍ଥିତ ଶ୍ରୀ ଅରବିନ୍ଦ ପାଠଚକ୍ରର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଅରବିନ୍ଦଙ୍କ ଭବିଷ୍ୟତ ଏବଂ ଆସ ଆମେ ସମସ୍ତେ ସତ୍ୟର ସେବା କରିବା ଏବଂ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରୀମା ଏବଂ ଶ୍ରୀଅରବିନ୍ଦଙ୍କ ସମାଧିପୀଠ ନିକଟରେ ସାମୂହିକ ଧ୍ୟାନ ଏବଂ ବନ୍ଦେ ମାତରମ୍‍ ଗାନ ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଶାରୀରିକ କ୍ରୀଡା କୌଶଳ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ