ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଆସିକା (ୱାଇଏନ୍ଏସ୍) : ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ କାଳଷଣ୍ଢପୁର କ୍ଳଷ୍ଟର ସର୍ବପୁରାତନ ୧୯୨୩ ମସିହାରେ ସ୍ଥାପିତ ପୁଡୁଗେଶ୍ୱରପଲ୍ଲୀ ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୧୦୩ତମ ବାର୍ଷିକ ଉତ୍ସବ ସମାରୋହ ଶୁକ୍ରବାର ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୁଡୁଗେଶ୍ୱରପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଭାଗ୍ୟଲତା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀ, ଗଞ୍ଜାମ ଜିଲ୍ଲା ଚାଉଳ ମିଲ୍ ମାଲିକ ସଂଘର ଉପସଭାପତି ତଥା ଆସିକା ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ନିଗମାନନ୍ଦ ମହାନ୍ତି, ପୁଡୁଗେଶ୍ୱରପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ସୂର୍ଯ୍ୟ ନାରାୟଣ ନାହାକ, ଭାରତୀୟ ରେଳ ବିଭାଗର ବିଭୁତି ଭୂଷଣ ପଢିଆରୀ, ଆକାଶବାଣୀ କଟକର ଚିତ୍ତରଂଜନ ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କେଶରୀ ରାଉତ, ଶିକ୍ଷାବିତ୍ ଏ.ଯୁଧିଷ୍ଠିର ଦୋରା ପ୍ରମୁଖ ଯୋଗଦେଇ କଠିନ ପରିଶ୍ରମ ହିଁ ସଫଳତାର ମହୌଷଧି ହୋଇଥିଲା ବେଳେ ଛାତ୍ରଛାତ୍ରୀ ମାନେ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବା ସହ ଆତ୍ମସଂଯମୀ ଓ ଶୃଙ୍ଖଳିତ ହୋଇ ଏହି ମାଟିର ଗୌରବ ଓ ସୁନାମକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଆସିକା ପୁଡୁଗେଶ୍ୱରପଲ୍ଲୀ ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୧୦୩ତମ ବାର୍ଷିକ ଉତ୍ସବ ସମାରୋହ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକଙ୍କୁ ବିମୋହିତ କରି ଦେଇଥିଲା । ପୁଡୁଗେଶ୍ୱରପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ୧୦୩ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସହକାରୀ ଶିକ୍ଷୟତ୍ରୀ ଉଷାରାଣୀ ସାହୁ, ସୁଜାତା କୁମାରୀ ପଣ୍ଡା, ମନସ୍ୱିନୀ ପାତ୍ର, ପୁନମ୍ କୁମାରୀ ପ୍ରଧାନ, ସମାଜସେବୀ ପ୍ରଦୀପ କେଶରୀ ରାଉତ, ରମେଶ ଚନ୍ଦ୍ର ରାଉତ, ସନ୍ୟାସୀ ନାହାକ, ଅର୍ସୁଲୁ ସ୍ୱାଇଁ, ହୀନ ବାରିକ, ସଂଗ୍ରାମ ମହାନ୍ତି, ପଂଚାନନ ମହାନ୍ତି, କାମେଶ୍ୱର ରାଉତ, ଶିବରାମ ନାହାକ, ସନ୍ତୋଷ କୁମାର ବେହେରା, ବିଜୟ ନାହାକ, ଆଶିଷ୍ ନାହାକ, ଅଭୟ ଜେନା, ରାମ ବାରିକଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ, ଅଭିଭାବକ, ସଚେତନ ନାଗରିକ, ଗ୍ରାମବାସୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ଅନ୍ୟତମ ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଟାନ ପୁଡୁଗେଶ୍ୱରପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୧୦୩ତମ ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମ୍ୟ ପରିଚାଳନା କମିଟି, ମାତୃ ଶିକ୍ଷକ ମଞ୍ଚ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପାଳନ ହୋଇଥିଲା ବେଳେ ବିଦ୍ୟାଳୟ ପରିବେଶକୁ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିଲା।


