ଆସିକାରେ ବିଦ୍ୟାଦାତ୍ରୀ ମା ସରସ୍ୱତୀ ପୂଜା ପାଳିତ
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଶୁକ୍ରବାର ଉତ୍ସାହ ଉଦ୍ଦୀପନାର ସହ ବାଗ୍ଦେବୀ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ସରସ୍ୱତୀ ପୂଜା ଅବସରରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ କୁନିକୁନି ପିଲାମାନେ ଖଡିଛୁଇଁ ବିଦ୍ୟାରମ୍ଭ କରିଥିଲେ । ଆସିକା ସହରର ସର୍ବପୁରାତନ ଆରିୟନ୍ ପବ୍ଳିକ ସ୍କୁଲ୍, ମେକ୍ ମାଇକେଲ ସଂସ୍କୃତ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ, ହରିହର ହାଇସ୍କୁଲ, ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ, ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପ୍ରଜ୍ଞା ଶିଶୁମନ୍ଦିର, ମଣ୍ଟାପଡା ସ୍ଥିତ ମା’ ରତ୍ନମାଳୀ ହାଇସ୍କୁଲ, ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର, ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର, ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଳିକ ସ୍କୁଲ, ସ୍ନୋବାଲ୍ ପ୍ଳେ ସ୍କୁଲ, ବାବନପୁର ଆଦର୍ଶ ଶିଶୁମନ୍ଦିର, ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ସମେତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ସକଳ ଜ୍ଞାନ, ବୁଦ୍ଧି ଓ ଚେତନା ଶକ୍ତିର ଚିର ପ୍ରଦାୟିନୀ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ଦିନତମାମ୍ ଶିକ୍ଷାନୁଷ୍ଠାନ ଗୁଡିକର ବିଦ୍ୟାର୍ଥୀମାନଙ୍କ ସମାଗମ ହୋଇଥିବା ବେଳେ ବିଦ୍ୟାର୍ଥୀମାନେ ମା’ ସରସ୍ୱତୀଙ୍କ କୃପା ପ୍ରାପ୍ତ ପାଇଁ ଭକ୍ତିପୁତ ସହକାରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ୱତୀଙ୍କ ଆରାଧନାରେ ଶିକ୍ଷାନୁଷ୍ଠାନ ଗୁଡିକ ଚଳଚଞ୍ଚଳ ହୋଇ ପଡିଥିଲା ବେଳେ ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରରେ ପୂଜକ ପ୍ରଦୀପ କୁମାର ପାଢୀଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇ ପଡିଥିଲା ସମଗ୍ର ପରିବେଶ । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ପୂଜାମଣ୍ଡପ ଗୁଡିକରେ ଛାତ୍ରଛାତ୍ରୀମାନେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ସୁମରଣା କରିଥିଲା ବେଳେ ଭଳିକି ଭଳି ସାଜସଜାରେ ପୂଜାମଣ୍ଡପ ଗୁଡିକ ଝଲସି ଉଠୁଥିବା ଦେଖିବାକୁ ମିଳିଥିଲା । ଜ୍ଞାନ, ବିଦ୍ୟା, କଳା, ସାହିତ୍ୟ, ସ୍ୱରବ୍ରହ୍ମର ଅଧୀଷ୍ଟାତ୍ରୀ ଦେବୀ ମା ବାଗ୍ଦେବୀ ସରସ୍ୱତୀଙ୍କୁ ଶିକ୍ଷାନୁଷ୍ଠାନ ଗୁଡିକର ଅସ୍ଥାୟୀ ମଣ୍ଡପରେ ବିଦ୍ୟାର୍ଥୀମାନେ ନିଷ୍ଠାର ସହ ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନାରେ ନିମଗ୍ନ ରହିଥିବା ଦେଖିବାକୁ ମିଳିଥିଲା ।


