ଗଜପତିରେ ପୁଣି ଜନନୀ ଯନ୍ତ୍ରଣା: ଘରେ ପ୍ରସବ ପରେ ଖଟିଆରେ ୨ କିମି ବୁହାହେଲେ ପ୍ରସୂତି ମହିଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖାଦେଇଛି. ଗାଁର ରାସ୍ତା ଭଲ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ. ପରେ ବିଳମ୍ବିତ ରାତ୍ରରେ ଘରେ ପ୍ରସବ କଲେ ଗର୍ଭବତୀ ମହିଳା. ହେଲେ ପ୍ରସବଜନିତ ଅସୁସ୍ଥତାକୁ ନେଇ ଗାଁର କିଛି ଯୁବକମାନେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ପ୍ରସୂତି ମହିଳାଙ୍କୁ ଖଟିଆରେ ଭାର କରି 2 କିମି ମୋହନା ଡାକ୍ତରଖାନାକୁ ବୋହି ନେଉଥିବା ଘଟଣା ସାମ୍ନାକୁ ଆସିଛି. ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ସଦର ମହକୁମା ଠାରୁ ମାତ୍ର 5 କିମି ଦୂରରେ ଥିବା ହୁଏରି ଗ୍ରାମରେ. ଗତ ମଙ୍ଗଳବାର ରାତ୍ରରେ ସେହି ଗ୍ରାମର ମିଟୁ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କୁ ଅତ୍ୟଧିକ ପ୍ରସବ ବେଦନା ହୋଇଥିଲା. ଡାକ୍ତରଖାନାକୁ ନେବା ପାଇଁ 108 ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା. ହେଲେ ସେହି ଗ୍ରାମର ରାସ୍ତା ଦୂରାବସ୍ଥା ଯୋଗୁଁ ଆମ୍ବୁଲାନ୍ସ ହୁଏରି ଗ୍ରାମକୁ ଆସିପାରିନଥିଲା। ବିଳମ୍ବିତ ରାତିରେ ମହିଳା ଜଣକ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ. ହେଲେ ମା ଓ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଲକ୍ଷ୍ୟ କରି ଗ୍ରାମର ଯୁବକମାନେ ଖଟିଆରେ 2 କିମି ବୋହି ମୋହନା ଡାକ୍ତରଖାନାକୁ ନେଇଥିଲେ. ଡାକ୍ତର ଚିକିତ୍ସା ପରେ ଏମାନଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି. ରାସ୍ତା ଦୂରାବସ୍ଥା ଯୋଗୁଁ ଜରୁରୀ ଚିକିତ୍ସା ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ଯୋଗୁଁ ଅତି ତୁରନ୍ତ ହୁଏରି ଗ୍ରାମର ରାସ୍ତାକୁ ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


