ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଉପଲକ୍ଷେ ଆଜି ପୂର୍ବାହ୍ନ ୧୧ଟା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଉଛି। ଆଜିର ଉକ୍ତ ସଭାରେ ବାଲେଶ୍ୱର ଜିଲ୍ଲା ନ୍ୟାୟାଧୀଶ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅଧିକାରୀ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ। ଦୁର୍ନୀତି ନିବାରଣ ଦିଗରେ ପ୍ରତ୍ୟେକ ନାଗରିକଙ୍କ ସଚେତନତା, ସାଧୁତା ଓ ନୈତିକ ଦାୟିତ୍ୱବୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସଭାରେ ଗୁରୁତ୍ୱାରୋପ କରାଯାଇଥିଲା। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଜୈବପ୍ରଯୁକ୍ତି ବିଜ୍ଞାନ ବିଭାଗର ପ୍ରଫେସର ଭାସ୍କର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସର୍ବ ପ୍ରଥମେ ନିଜ ପରିବାରରୁ ଦୁର୍ନୀତି ମୁକ୍ତ ହେବା ଏବଂ ସମାଜ ପାଇଁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଳା ପରିଷଦ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ,ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀଯୁକ୍ତ ଶ୍ରୀବଲ୍ଲଭ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ଶେଷ ପର୍ଯ୍ୟାୟରେ ବିତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।


