ପଟ୍ଟାମୁଣ୍ଡାଇ ବିଡିଓଙ୍କ କ୍ୱାଟରରେ ଅସାମାଜିକଙ୍କ ଆଡ୍ଡା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ବିଡିଓଙ୍କ ସରକାରୀ କ୍ୱାଟରରେ ଅସାମାଜିକ ଲୋକ ଆଡ୍ଡା ଜମାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ପଟ୍ଟାମୁଣ୍ଡାଇ ବିଡିଓଙ୍କ ସରକାରୀ କ୍ୱାଟରରେ ବିଡିଓ ରହୁନଥିବା ବେଳେ ସେଠାରେ ଅଧ୍ୟକ୍ଷ ତାଙ୍କର ଦଳୀୟକର୍ମୀଙ୍କୁ ନେଇ ଆସର ଜମାଇଛନ୍ତି। ମଦ ଓ ମାଂସ ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ ସେଠାରେ ଚାଲୁଥିବା ଅଭିଯୋଗ ହୋଇଛି। ସେହି କ୍ୱାଟର ପାଖରେ ଅନ୍ୟ କ୍ୱାଟରରେ ରହୁଥିବା କର୍ମଚାରୀମାନେ ପିଲାଛୁଆ ଓ ପରିବାର ଧରି ରହିବା ଅସମ୍ଭବ ହୋଇପଡିଛି। ସେମାନେ ଶାନ୍ତିରେ ଶୋଇ ପାରୁନଥିବା ଅଭିଯୋଗ ହୋଇଛି। ଏହାବ୍ୟତିତ ଏହି ବ୍ଲକର ବିଭିନ୍ନ କାର୍ଯ୍ୟ ନିମନ୍ତେ ଲାଗିଥିବା ଭଡାଗାଡି ଗୁଡିକ ବ୍ଲକ ପରିସରକୁ ଆସୁନଥିବା ବେଳେ ସେହି ଗାଡିଗୁଡିକ ପାଇଁ ତେଲ ବାବଦକୁ ଓ ଭଡା ବାବଦକୁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେବାରେ ଲାଗିଛି। ସେସବୁ ଗାଡି ଗୁଡିକ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଳେ ସରକାରୀ ତହବିଲରୁ ଗାଡିଭଡା ଓ ତେଲ ବାବଦ ଅର୍ଥ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହୋଇଛି। ଏସବୁ ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ତନୁଜ କୁମାର ମଲ୍ଲିକ, ଅଶୋକ କୁମାର ରାଉତ, ବିକ୍ରମକେଶରୀ ଜେନା, ବିରଞ୍ଚି ମଲିକ, ଦୁଃଖିଶ୍ୟାମ ସେଠୀ, ହିମାଂଶୁ ଶେଖର କୁଣ୍ଡ, ପଙ୍କଜ ମଲିକ, ସତ୍ୟରଞ୍ଜନ ସାହୁ ଓ ସମରେନ୍ଦ୍ର ଦାଶ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।