ସାମାନ୍ୟ ବର୍ଷାରେ ଆସିକା ବିନାୟକ ବଜାରରେ କୃତ୍ରିିମ ବନ୍ୟା

ଆସିକା (ୱାଇଏନ୍‍ଏସ୍‍) : ଲଘୁଚାପର ପ୍ରଭାବରେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ସୋମବାର ଅପରାହ୍ନରୁ ପାଗ ମେଘୁଆ ରହିବା ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିଲା ବେଳେ ଜଳ ନିଷ୍କାସନ ପଥ କେତେକ ସ୍ଥାନରେ ଅବରୋଧ ଯୋଗୁଁ ଆସିକା ଏନ୍‌ଏସି ଅଧିନସ୍ଥ ବ୍ୟସ୍ତବହୁଳ ତଥା ସଦାସର୍ବଦା ଜନଗହଳିପୂର୍ଣ୍ଣ ୧୩ନଂ ୱାର୍ଡର ବିନାୟକ ବଜାର ମୁଖ୍ୟରାସ୍ତାରେ ସାମାନ୍ୟ ବର୍ଷାରେ କିଛି ସମୟ ଲାଗି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷାରେ ବର୍ଷାଜଳ ଦୀର୍ଘ ସମୟ ଧରି ନିଷ୍କାସନ ହୋଇନପାରି ବିନାୟକବଜାରର ମୁଖ୍ୟ ରାସ୍ତାରେ ଲଉଡି ମାରୁଥିବା ଯୋଗୁଁ ସାଧାରଣ ଜନତାଙ୍କ ଯାତାୟତ କ୍ଷେତ୍ରରେ ନାହିଁନଥିବା ସମସ୍ୟା ସୃଷ୍ଟି ହୋଇଥିଲା । ଆସିକା ଏନ୍‌ଏସି ପରିସରଭୁକ୍ତ ବିନାୟକ ବଜାର ମୁଖ୍ୟରାସ୍ତା ଏକ ବ୍ୟସ୍ତବହୁଳ ତଥା ପ୍ରମୁଖ ରାସ୍ତା ରୂପେ ପରିଚିତ ରହିଛି । ଉକ୍ତ ରାସ୍ତା ଉପରେ ଦୈନିକ ଶହ ଶହ ଜନତା ଯାତାୟତ କରୁଥିବା ବେଳେ ସଂଖ୍ୟାଧିକ ଗାଡିମୋଟର ଚଳାଚଳ କରିଥାଏ । ତେବେ ଉକ୍ତ ବ୍ୟସ୍ତବହୁଳ ରାସ୍ତାରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ସୋମବାର ଅପରାହ୍ନରେ ହୋଇଥିବା ସାମାନ୍ୟ ବର୍ଷାରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇନପାରି ଘଣ୍ଟାଘଣ୍ଟା ଧରି ମୁଖ୍ୟରାସ୍ତାରେ ଲଉଡି ମାରିଥିବା ବେଳେ ସାଧାରଣ ଜନତାଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ଧରି ଆସିକା ଏନ୍‍ଏସି ପରିସରଭୁକ୍ତ ବିନାୟକ ବଜାର ଅଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ଅସରାଏ ବର୍ଷାରେ ବର୍ଷାଜଳ ନିଷ୍କାସିତ ହୋଇପାରୁନଥିବା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ସମସ୍ୟାକୁ ସମାଧାନ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଏନ୍‌ଏସି ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସହରର ବ୍ୟସ୍ତବହୁଳ ବିନାୟକ ବଜାର ଅଞ୍ଚଳରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ