ଖରିଫ୍ରେ ୩୮୧ କୋଟି ଟଙ୍କା କୃଷି ଋଣ ଲଗାଣ କରିବ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ
ଆସିକା (ୱାଇଏନ୍ଏସ୍) ଗଞ୍ଜାମ ଜିଲ୍ଲାର ଅର୍ଦ୍ଧାଧିକ ଅଞ୍ଚଳର ହଜାର ହଜାର ଚାଷୀଙ୍କୁ ଖରିଫ୍ ଓ ରବି ଋତୁରେ ସ୍ୱଳ୍ପ ମିଆଦି ଫସଲ ଋଣ ଲଗାଣ କ୍ଷେତ୍ରରେ ୧୯୧୮ ମସିହାରେ ସ୍ଥାପିତ ହୋଇଥିବା ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଦୀର୍ଘ ୧୦୭ବର୍ଷ ଧରି ସଦାସର୍ବଦା ଗୁରୁତ୍ୱ ନିର୍ବାହ କରି ଆସୁଥିଲା ବେଳେ ଚଳିତ ୨୦୨୫ ଖରିଫ୍ ଋତୁରେ ଧରାକୋଟ, ସଦର, ଶେରଗଡ, ସୋରଡା, ବୁଗୁଡା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, କୋଦଳା, ପାଟପୁର ଶାଖା ଅଧିନସ୍ଥ ୧୯୮ଟି ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ୩୮୧କୋଟି ଟଙ୍କା କୃଷି ଋଣ ଲଗାଣ ଲକ୍ଷ୍ୟ ଧାର୍ଯ୍ୟ ରଖିଥିବା ଜଣାପଡିଛି। ଖରିଫ୍ ଚାଷ ନିମନ୍ତେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନସ୍ଥ ୧୨ଟି ଶାଖାର ୧୯୮ଟି ସେବା ସମବାୟ ସମିତିର ଚାଷୀ ମାନେ ଆବଶ୍ୟକ କରୁଥିବା ଋଣ ଯେପରି ଠିକ୍ ସମୟରେ ପାଇ ପାରିବେ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ମଢେଇଙ୍କ ନେତୃତ୍ୱରେ ବରିଷ୍ଠ ଶାଖା ପରିଚାଳିକା ମମତା ପରିଡା ଓ ଋଣ ବିଭାଗର ପରିଚାଳିକା ଚାନ୍ଦିନୀ ସ୍ୱାଇଁଙ୍କ ସମେତ ୧୨ଟି ଶାଖାର ଶାଖା ପରିଚାଳକ ଓ ସେବା ସମବାୟ ସମିତିର ସମ୍ପାଦକ ମାନେ ବ୍ୟାପକ ଆଗୁଆ ପଦକ୍ଷେପ ନେଉଥିବା ଲକ୍ଷ୍ୟ କରାଯାଇଛି। ଫସଲ ଋଣ ଲଗାଣ କ୍ଷେତ୍ରରେ କ୍ଷୁଦ୍ର, ନାମ ମାତ୍ର ଏବଂ ଭାଗଚାଷୀଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଜଣାପଡିଛି। ଗତ ୨୦୨୪ ଖରିଫ ଋତୁରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ତାର ୧୨ଟି ଶାଖା ଅଧିନସ୍ଥ ୧୯୭ଟି ସେବା ସମବାୟ ସମିତି ଜରିଆରେ ୬୯ହଜାର ୮୩୧ଜଣ ଚାଷୀଙ୍କୁ ୨୯୪ କୋଟି ୩୦ଲକ୍ଷ ୮୫ହଜାର ଟଙ୍କା ଫସଲ ଋଣ ଯୋଗାଇ ଦେଇଥିଲା। ଏହି ପରିପ୍ରେକ୍ଷୀରେ ଚଳିତ ଖରିଫ୍ ଋତୁରେ ୩୮୧ କୋଟି ଟଙ୍କା ଫସଲ ଋଣ ପ୍ରଦାନ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଖରିଫ ୨୦୨୪ରେ ଫସଲ ଋଣ ଯୋଗାଣର ସଫଳ ରୂପାୟନ ପାଇଁ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି। ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଉପରେ ନିର୍ଭର କରୁଥିବା ଚାଷୀ ସମାଜର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସାଙ୍ଗକୁ ଚାଷର ବିକାଶ ପାଇଁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଖରିଫ୍ ଋଣ ପ୍ରଦାନ ବେଳେ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କୁ ଅଗ୍ରାଧିକାର ଦେବାକୁ ପ୍ରୟାସ ଜାରି ରହିଥିବା ଜଣାପଡିଛି । ଚାଷୀଙ୍କୁ ଋଣ ଦେବା ସମୟରେ ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଋଣ ପ୍ରଦାନ କରାଯିବ । ସେହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ବିନା ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ବେଳେ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ମଧ୍ୟରେ କୃଷିଋଣ ବାବଦରେ ମାତ୍ର ୨ ପ୍ରତିଶତ ସୁଧ ନିଆଯିବ । ସମସ୍ତ କୃଷିଋଣ କେବଳ ସେଭିଙ୍ଗ୍ସ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯିବ । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଲିଃ ପକ୍ଷରୁ ଖରିଫ୍ ଋଣଲଗାଣ ଲକ୍ଷଧାର୍ଯ୍ୟ ପୂରଣ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।


