ସମସ୍ୟାରେ ଜର୍ଜରିତ ଆସିକା ଘରୋଇ ବସ୍ଷ୍ଟାଣ୍ଡ
ଆସିକା (ୱାଇଏନ୍ଏସ୍) ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଆସିକା ଅଞ୍ଚଳର ସାଧାରଣଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଭଞ୍ଜନଗରର ଆର୍ଥୀକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଘରୋଇ ବସ୍ଷ୍ଟାଣ୍ଡକୁ ଗତ ୨୦୧୧ ମସିହା ଅକ୍ଟୋବର ମାସ ୨୭ ତାରିଖରେ ତତ୍କାଳୀନ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଆସିକା ଘରୋଇ ବସ୍ଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ହଜାର ହଜାର ଜନତାଙ୍କ ଆଶା ଥିଲା ଏହି ବସ୍ଷ୍ଟାଣ୍ଡରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ କିନ୍ତୁ ବସ୍ଷ୍ଟାଣ୍ଡ ଉଦ୍ଘାଟନର ଦୀର୍ଘ ୧୪ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଯାତ୍ରୀ ମାନେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଘରୋଇ ବସ୍ଷ୍ଟାଣ୍ଡର ଯାତ୍ରୀ ପ୍ରତିକ୍ଷାଳୟରେ ଲାଗିଥିବା ୫ଟି ସିଲିଂ ଫ୍ୟାନ୍ ଦୀର୍ଘ ଦିନ ହେଲା ଅଚଳ ହୋଇପଡିରହି ବୁଲୁ ନଥିବା ଯୋଗୁଁ ସାଂପ୍ରତିକ ପରିସ୍ଥିତିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଦୂରଦୂରାନ୍ତର ଯାତ୍ରୀମାନେ ଅତି ଦୟନୀୟ ଅବସ୍ଥାରେ ବାରଣ୍ଡାରେ ବସ୍କୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରବାହରେ ଯାତ୍ରୀମାନେ ଆଉଟୁ ପାଉଟୁ ହେବା ସହ ଝାଞ୍ଜିପବନ ମାଡରେ ଅଣନିଃଶ୍ୱାସୀ ହୋଇପଡୁଥିବା ଅଭିଯୋଗ ବି ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ପ୍ରଚଣ୍ଡ ରୂପ ନେଲାଣି । ଦିନର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆସିକା ଘରୋଇ ବସଷ୍ଟାଣ୍ଡର ଯାତ୍ରୀ ପ୍ରତିକ୍ଷାଳୟରେ ଲାଗିଥିବା ୫ଟି ସିଲିଂ ଫ୍ୟାନ୍ ଅଚଳ ହୋଇପଡିରହିଥିଲେ ମଧ୍ୟ ସେଗୁଡିକୁ ମରାମତି କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ଘରୋଇ ବସ୍ଷ୍ଟାଣ୍ଡର ଚର୍ତୁପାଶ୍ୱର୍ରେ ଆବଶ୍ୟକତା ଅନୁଯାୟୀ ଉଜ୍ୱଳ ହାଇମାକ୍ସ ଆଲୋକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇନଥିବା ଯୋଗୁଁ ସଞ୍ଜ ନଇଁଲେ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାତି ପାହିଲେ ଆସିକା ଘରୋଇ ବସ୍ଷ୍ଟାଣ୍ଡକୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଦୈନିକ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ୱ ଜନତା ସୌଦାଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କାର୍ଯ୍ୟରେ ଆସିଥାନ୍ତି । ଆସିକା ଘରୋଇ ବସ୍ଷ୍ଟାଣ୍ଡରୁ ଦୈନିକ ଭୂବନେଶ୍ୱର, ବ୍ରହ୍ମପୁର, ରାଉଲକେଲା, ଦୁର୍ଗାପୁର, ରାୟପୁର ସମେତ ରାଜ୍ୟର ବହୁ ଅଞ୍ଚଳକୁ ଦୈନିକ ଶତାଧିକ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରୁଥିଲା ବେଳେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମିନିବସ୍ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଆଞ୍ଚଳିକ ଉନ୍ନୟନସଂସ୍ଥା ଭଞ୍ଜନଗର ମଧ୍ୟ ଆସିକା ଘରୋଇ ବସ୍ଷ୍ଟାଣ୍ଡରୁ ଘରଭଡା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବାବଦରୁ ହଜାର ହଜାର ଟଙ୍କା ପାଉଥିଲା ବେଳେ ଏହି ବସ୍ଷ୍ଟାଣ୍ଡର ଭିତ୍ତିଭୂମୀ ବିକାଶ ଦିଗରେ ଧ୍ୟାନ ଦେଉନଥିବା ମତ ପ୍ରକାଶ ପାଉଛି । ଆସିକା ଘରୋଇ ବସଷ୍ଟାଣ୍ଡ ଉଦ୍ଘାଟନ ହେବାର ଦୀର୍ଘ ୧୪ବର୍ଷ ବିତି ଯାଇଥିଲେ ମଧ୍ୟ ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଭଞ୍ଜନଗର ପକ୍ଷରୁ ବସ୍ଷ୍ଟାଣ୍ଡ କୋଠାକୁ ମରାମତି କରିବା ତ ଦୂରର କଥା ସୌନ୍ଦର୍ଯ୍ୟ କରଣ ପାଇଁ ଚୂନ ପକା ନପକାଇବା ଘଟଣା ଅତ୍ୟନ୍ତ ପରିତାପର ବିଷୟ ବୋଲି ଆଲୋଚିତ ହେଉଛି। ଆସିକା ଘରୋଇ ବସଷ୍ଟାଣ୍ଡରେ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ଯୋଗୁଁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଭଞ୍ଜନଗର କତ୍ତୃପକ୍ଷ ଆସିକା ଘରୋଇ ବସ୍ଷ୍ଟାଣ୍ଡରୁ ଘରଭଡା ଓ ଅନ୍ୟାନ୍ୟ ବାବଦରୁ ମାସିକ ପ୍ରାୟ ଲକ୍ଷାଧିକ ଟଙ୍କା ରାଜସ୍ୱ ପାଉଥିଲା ବେଳେ ଘରୋଇ ବସ୍ଷ୍ଟାଣ୍ଡର ଭିତ୍ତିଭୂମୀକୁ ସୁଦୃଢ କରିବା ସହ ଯାତ୍ରୀଙ୍କ ସୁବିଧା ଲାଗି ସେଭଳି କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ଜନ ଅସନ୍ତୋଷ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆସିକା ଘରୋଇ ବସଷ୍ଟାଣ୍ଡ ନାନା ସମସ୍ୟାରେ ଜର୍ଜରିତ ସଂକ୍ରାନ୍ତରେ ବସଷ୍ଟାଣ୍ଡ ସଂପାଦକ ସନ୍ତୋଷ କୁମାର ପୋଲାଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ବିଭାଗୀୟ ପଦାଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଘରୋଇ ବସ୍ଷ୍ଟାଣ୍ଡରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ସହ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଅଚଳ ହୋଇପଡିରହିଥିବା ସିଲିଂ ଫ୍ୟାନ୍ ଗୁଡିକ ମରାମତି କରିବା ଏବଂ ପ୍ରବେଶ ପଥରେ ସୂଚନା ଫଳକ ଲଗାଇବା ଓ ଖାଲଖମା ରାସ୍ତାକୁ ମରାମତି କରି ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


