ହାଟଡିହି (ଓ୍ବାଇଏନଏସ): ସାଇବର ଠକ ମାନେ ଏବେ ଲୋକଙ୍କୁ ଠକିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣେଇଛନ୍ତି। ଆଜି ବିଡ଼ିଓଙ୍କ ନାମରେ କଲେଜ ଅଧ୍ୟକ୍ଷଙ୍କୁ ଠକେଇ ଉଦ୍ୟମ ହୋଇଛି। କଲେଜର ଅଧ୍ୟକ୍ଷ ଅଳ୍ପକେ ଉକ୍ତ ସାଇବର ଠକଙ୍କ ଠାରୁ ବର୍ତ୍ତି ଯାଇଛନ୍ତି। ହାଟଡିହି କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ଅଭିଯୋଗ ଅନୁଯାଇ ଆଜି ମଧ୍ୟାହ୍ନ ରେ ୯୬୬୮୬୧୬୮୬୨ ନମ୍ବରରୁ ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ତାଙ୍କୁ ହାଟଡିହି ବିଡ଼ିଓ ବୋଲି ପରିଚୟ ଦେଇ ତୁମର ସ୍ମାର୍ଟ କ୍ଲାସ ରୁମ ପାଇଁ ୪୦ହଜାର ଆସିଛି । ତେଣୁ ଏସବିଆଇ ଏକାଉଣ୍ଟ ନମ୍ବର ଦିଅ ଟଙ୍କା ଟ୍ରାନ୍ସଫର କରିଦିଆଯିବ ବୋଲି କହିଥିଲା। କଲେଜ ଅଧ୍ୟକ୍ଷ ପୂର୍ବରୁ ଅନେକ ଥର ବିଡ଼ିଓଙ୍କ ସହିତ କଥା ହୋଇଥିବାରୁ ଏହା ତାଙ୍କ କଣ୍ଠସ୍ୱର ନୁହେଁ ବୋଲି ସନ୍ଦେହ କରିଥିଲେ। ତେଣୁ ସେ କଲେଜ ଆସନ୍ତୁ ନମ୍ବର ଦିଆଯିବ ବୋଲି କହିଥିଲେ। ପରେ କଲେଜ ଅଧ୍ୟକ୍ଷ ଶ୍ରୀ ରାଉତ ବିଡ଼ିଓ ଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ତରଫରୁ କୌଣସି ଫୋନ ଯାଇ ନଥିବା କହିଥିଲେ। ପରବର୍ତ୍ତୀ ସମୟରେ ସେହି ନମ୍ବର କୁ ଫୋନ କରିବାରୁ ତାହା ସୁଇଜ ଅଫ ଥିବାବେଳେ ତାହା ଏକ ସାଇବର ଫ୍ରଡ଼ ନମ୍ବର ବୋଲି ଜଣା ପଡିଥିଲା। କଲେଜ ଅଧ୍ୟକ୍ଷ ଏନେଇ ନନ୍ଦିପଦା ପୁଲିସକୁ ମଧ୍ୟ ଅବଗତ କରାଇଛନ୍ତି।