ସ୍ତ୍ରୀକୁ ହାଣି ହତ୍ୟା ଘଟଣାରେ ଗିରଫ ହେଲେ ଏବିଡ଼ିଓ
ହାଟଡିହି (ଓ୍ବାଇଏନଏସ): ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଡ଼ଅଁର ଗ୍ରାମର ଏବିଡ଼ିଓ ଦେବୀ ପ୍ରସାଦ ଜେନାଙ୍କୁ ଗିରଫ କରିଛି ପୋଲିସ। ଗତ ଅକ୍ଟୋବର ମାସ ଦୁଇ ତାରିଖ ଦିନ ଦେବୀପ୍ରସାଦ ତାଙ୍କ ପତ୍ନୀ ସୁଦେଷ୍ନାଙ୍କୁ କୁରାଢ଼ୀ ରେ ହାଣି ହତ୍ୟା କରି ଫେରାର ହୋଇ ଯାଇଥିଲେ। ଘଟଣାର ୨୩ ଦିନ ପରେ ଗ୍ରାମବାସୀ ଙ୍କ ସହଯୋଗରେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବୀ ପ୍ରସାଦ ବାବାଜୀ ବେଶରେ ଏକ ସାଇକେଲ ଯୋଗେ ଗାଁ ଭିତରକୁ ଯିବାବେଳେ କିଛି ଯୁବକ ଦେଖି ପୋଲିସକୁ ଖବର ଦେଇଥିଲେ। ନନ୍ଦିପଦା ଥାନା ପୋଲିସ ତୁରନ୍ତ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଅପରାହ୍ନରେ ତାକୁ ଶାଳଣିଆ ମେଡିକାଲକୁ ନେଇ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଗାଁ କୁ ଆସିଥିବା ବେଳେ ଏକ ବ୍ୟାଗରେ ଅନେକ ମରଣାସ୍ତ୍ର ରଖିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପରକୀୟା ପ୍ରୀତି ଯୋଗୁଁ ଦେବୀ ପ୍ରସାଦ ଏହି ହତ୍ୟାକାଣ୍ଡ ଭିଆଇ ଥିବା ବେଳେ ପୋଲିସ କାହିଁକି ତାର ଭାଇ ବୋହୁ କୁ ତଦନ୍ତ ପରିସରଭୁକ୍ତ କରୁନି ସେନେଇ ପୁଅ ସତ୍ୟ ପ୍ରକାଶ ଅଭିଯୋଗ କରିଛି। ତାର ଖୁଡିଙ୍କ ପ୍ରରୋଚନାରେ ହତ୍ୟା ହୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରୁ ବୋଲି ସେ ଦାବି କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ଦୁଇ ତାରିଖ ମଧ୍ୟାହ୍ନରେ ଦେବୀପ୍ରସାଦ ନିଜ ଝିଅ ସମ୍ମୁଖରେ ପତ୍ନୀ ସୁଦେଷ୍ନାଙ୍କୁ କୁରାଢ଼ୀ ରେ ହାଣି ଫେରାର ହୋଇଯାଇ ଥିଲା। ଗ୍ରାମବାସୀ ଙ୍କ ସହଯୋଗରେ ପୁଅ ସତ୍ୟ ଓ ଝିଅ ମା ଙ୍କୁ ଭଦ୍ରକ ଡାକ୍ତରଖାନା ନେବା ବାଟରେ ସୁଦେଷ୍ନାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ନନ୍ଦିପଦା ପୋଲିସ ଥାନା କେସ ନଂ ୨୯୪/୨୦୨୫ରେଏକ ମାମଲା ୠଜୁକରି ତଦନ୍ତ ଚଳାଇ ଥିଲା। ଦେବୀପ୍ରସାଦ ବନ୍ତ ବ୍ଲକର ଏବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ।


