ଅଗ୍ନିକାଣ୍ଡ ଭଳି ବିପର୍ଯୟ ସମ୍ପତ୍ତି ରକ୍ଷା ସମ୍ପର୍କିତ ସଚେତନତା ଶିବିର
କଟକ (ଓ୍ବାଇଏନଏସ) : ଅଗ୍ନିକାଣ୍ଡ ଭଳି ବିପର୍ଯୟ ସମୟରେ ଧନ ଜୀବନ ରକ୍ଷା ତଥା ସର୍ବସାଧାରଣ ସମ୍ପତ୍ତି ରକ୍ଷା ସମ୍ବନ୍ଧରେ ସମସ୍ତେ ସଚେତନ ହେବା ଏବଂ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ବିଶେଷକରି ହସ୍ପିଟାଲ ଭଳି ସମ୍ବେଦନଶୀଳ ଅଂଚଳରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ କିପରି ଏଡାଇ ଦିଆଯାଇପାରିବ ସେ ସମ୍ପର୍କରେ ତାଲିମ ଦେବା ଉଦ୍ଦେଶ୍ୟରେ ଆଜି ଏସ ସି ବି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ତାଲିମ ଓ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ଗୌତମ ଶତପଥି, କୁଳସଚିବ ଶ୍ରୀ ସୁବାସ ଚନ୍ଦ୍ର ରାୟ, ବିଭିନ୍ନ ବିଭାଗୀୟ ମୁଖ୍ୟ ପ୍ରଫେସର ତଥା ଡାକ୍ତରଙ୍କ ଉପସ୍ଥିତିରେ ହସ୍ପିଟାଲ ପରିଚାଳକ, ନର୍ସିଂ ଷ୍ଟାଫ, ସୁରକ୍ଷା କର୍ମଚାରୀ ଓ ଅନ୍ୟାନ୍ୟ ସହାୟକମାନେ ନିଆଁ ଲାଗିବାର କାରଣ ଓ ଏହାକୁ ଲିଭାଇବାର କୌଶଳ ତଥା ନିଆଁ ଲିଭାଇବା ଯନ୍ତ୍ରର ବ୍ୟବହାର ସମ୍ପର୍କରେ ତାଲିମ ନେବା ସହ ମକ ଡ୍ରିଲରେ ଅଂଶଗ୍ରହଣ କରିଥିଲେ। କେବଳ ହସ୍ପିଟାଲ ନୁହେଁ ଦୈନନ୍ଦିନ ଜୀବନରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା ଘଟିଲେ ଏହିସବୁ ଉପାୟ ଅବଲମ୍ବନ କରି ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ। ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ସଂଜୀବ ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି ତାଲିମ ପ୍ରଦାନ କରିଥିଲେ।