ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ହାଟଡିହି, (ଓ୍ବାଇଏନଏସ): ଓରାଳି ହାଇସ୍କୁଲ ଠାରେ ନନ୍ଦିପଦା ଥାନା ଆମ ପୁଲିସ ସମିତି ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଏସ.ଆଇ ଗୋପାଳ କୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, ବୀରେନ୍ଦ୍ର କୁମାର ବିଶ୍ଵାଳ, ପ୍ରସନ୍ନ ମହାନ୍ତି, ପ୍ରମୋଦ ନାୟକ, କିଶୋର ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ଜେନା, ଦୁଃଶାସନ ସାହୁ, ମନ ମୋହନ ବେହେରା, ପ୍ରମୁଖ ଯୋଗଦେଇଥିଲେ। ବର୍ତମାନ ସମୟରେ ଘଟୁଥିବା ସାଇବର ଠକେଇ, ବ୍ୟାଙ୍କ ଠକେଇ, ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ ଆଦି ବିଷୟରେ ଏସ.ଆଇ ଶ୍ରୀ ମିଶ୍ର ଲୋକଙ୍କୁ ସଚେତନ କରାଇଥିଲେ। ବିଶେଷକରି କୌଣସି ଅଜଣା ଲୋକଙ୍କ ସହିତ ଫୋନରେ କଥା ନ ହେବା, କାହାକୁ ଓଟିପି ସେୟାର ନ କରିବା, ଅନ୍ୟ ଲୋକଙ୍କୁ ନିଜ ବ୍ୟାଙ୍କ ଏକାଉଣ୍ଟ ନ ଦେବା, ୧୮ବର୍ଷରୁ କମ ବୟସର ପିଲାମାନଙ୍କୁ ବାଇକ ଚଲାଇବାକୁ ନଦେବା, ବିନା ହେଲମେଟରେ ବାଇକ ନ ଚଳାଇବା, ନିଜ ନିଜ ଛୁଆ ମାନଙ୍କ ଉପରେ ନଜର ରଖିବା, ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସୁରକ୍ଷା ଓ ସମ୍ମାନ ଯୋଗାଇ ଦେବା ଆଦି ବିଷୟରେ ଅବଗତ କରାଯାଇ ଥିଲା। ଆମ ପୁଲିସ ସଦସ୍ୟ ମାନେ ନିଜ ନିଜ ବକ୍ତବ୍ୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏଥିରେ ସରପଞ୍ଚ ସୁମିତ୍ରା ଜେନା ପ୍ରତାପ ଦେଓ , ସୁରେନ୍ଦ୍ର କାଣ୍ଡି, ବଜାର କମିଟି ସଭାପତି ବ୍ରହ୍ମାନନ୍ଦ ଜେନା, ଯୁଧିଷ୍ଠିର ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସାମିଲ ହୋଇଥିଲେ। ଆଗାମୀ ଦିନ ମାନଙ୍କରେ ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏହିପରି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା।


