ଛାତ୍ରୀଙ୍କ ସୁରକ୍ଷା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଶୁଆକାଟୀସ୍ଥ ପାଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସଦର ପୁଲିସ ତରଫରୁ ଛାତ୍ରୀଙ୍କ ସୁରକ୍ଷା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଦର ଥାନା ଅଧିକାରୀ ଅମିତ କୁମାର ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ମାନସିକ ଚାପରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ପୁ1ଲିସକୁ ୧୦୨ ଏବଂ ସିୟୁଜି ନମ୍ବର ୯୪୩୮୯୧୬୬୧୧ ରେ ଫୋନ୍ କରି ଖବର ଦେବା ମାତ୍ରେ ପୁଲିସ ଘଟଣା ସ୍ଥଳରେ ଶୀଘ୍ର ପହଁଚି ପାରିବ ବୋଲି ସଚେତନ କରାଇଥିଲେ । ଚାପଗ୍ରସ୍ତ ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ତତ୍ପରତା ସହ ଆଇନ ମାଧ୍ୟମରେ ସୁରକ୍ଷା ପ୍ରଦାନ କରୁଛନ୍ତି । ଏହାକୁ ସୁଦୃଢ କରିବା ପାଇଁ ଆମ ରାଜ୍ୟ ପୋଲିସ କିଭଳି କାର୍ଯ୍ୟ କରୁଛି ସେ ସଂପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଶୁଆକାଟୀ ଫାଣ୍ଡି ଅଧିକାରୀ ସୂର୍ଯ୍ୟ ରାଉତରାୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହିଳାମାନେ ନିର୍ଭୟ ରହି ନିଜର କର୍ମକ୍ଷେତ୍ରରେ ଆଗକୁ ବଢିବା ଲାଗି ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ମହିଳା କନେଷ୍ଟବଳ ରୀନା ବେହେରା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପିକା ଅନୁପମା ମହାପାତ୍ର,ଗୀତାରାଣୀ ମହାନ୍ତ,ସୁଜାତା ଗିରି,ଗୀତାଞ୍ଜଳୀ ଗିରି,ସୁଦେଶିନି ମହାପାତ୍ର,ଅଧ୍ୟାପକ ପ୍ରଶାନ୍ତ କୁମାର ନାଥ,ଶୁଭେନ୍ଦୁ କୁମାର ସାହୁଙ୍କ ସମେତ କର୍ମଚାରୀମାନେ ସହଯୋଗ କରିଥିଲେ ।


