କରଗୋଳା ଠାରେ ବୈତରଣୀ ସୁରକ୍ଷା ପାଇଁ ବାଲି ସତ୍ୟାଗ୍ରହ: ସାମିଲ ହେଲେ ରାଜ୍ୟର ବିଭିନ୍ନ ସଂଗଠନର କର୍ମକର୍ତ୍ତା

ହାଟଡିହି(ଓ୍ବାଇଏନଏସ): ବୈତରଣୀ ନଦୀର ସୁରକ୍ଷା ତଥା କରଗୋଳା ଘାଟରୁ ବାଲି ଲୁଟ୍ ପ୍ରତିବାଦରେ  ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ହାଟଡିହି ତହସିଲ ଅଧୀନ ଏହି କରଗୋଳା ଠାରେ ଚାଲିଥିବା ବାଲି ସତ୍ୟାଗ୍ରହ ଆଜି ୩ୟ ଦିନରେ ପହଂଚିଛି। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଚାଲିଥିବା ଏହି ସତ୍ୟାଗ୍ରହରେ ଆଜି ୪ଶହରୁ ଉର୍ଦ୍ଧ ଗ୍ରାମବାସୀ ସାମିଲ ହୋଇଛନ୍ତି। ଏପରିକି ମହିଳା ଓ ଶିଶୁ ମାନେ ମଧ୍ୟ ଦିନ ତମାମ ବାଲି ଭିତରେ ବସିଥିବା ଦେଖିବାକୁ ମିଳିଥିଲା। ଆଜିର ସତ୍ୟାଗ୍ରହ ଚାଲିଥିବା ବେଳେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ମହାନଦୀ ବଞ୍ଚାଅ ଆନ୍ଦୋଳନର ସଭାପତି ସୁଦର୍ଶନ ଦାସ, ବ୍ରାହ୍ମଣୀ ନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଅକ୍ଷୟ ଜେନା, ଦୟା ନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ  ସଚିକାନ୍ତ ପ୍ରଧାନ, ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଯୋଜକ ବିଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହିତ ତୁମେ ନିଜ ପାଇଁ ନୁଁହ ବୈତରଣୀ ମା ପାଇଁ ଲଢେଇ କରୁଛ, ତେଣୁ ଆମେମାନେ ମଧ୍ୟ ତୁମ ସହ ଅଛୁ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ତିନିଦିନ ହେଲା ଆନ୍ଦୋଳନ ଚଳାଇ ଥିଲେ ବି ପ୍ରଶାସନ ସେମାନଙ୍କ ପାଖରେ ନ ପହଂଚିବା ନେଇ ଆଶ୍ଚଯ୍ୟ ପ୍ରକଟ କରିଥିଲେ। ଯେପରି ଭାବେ ବାଲି ଲୁଟ ହେଉଛି ସେପରି ଚାଲୁ ରହିଲେ ଅଳ୍ପଦିନ ଭିତରେ ନଦୀର ମୃତ୍ୟୁ ସୁନିଶ୍ଚିତ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ସଭାପତି ସୁଦର୍ଶନ ଦାସ ଅଭିଯୋଗ କରିଥିଲେ। କେନ୍ଦୁଝର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେ ଏଥିପ୍ରତି ଗୁରୁତ୍ୱ ଦେଇ ବେଆଇନ ବାଲି ଘାଟକୁ ବନ୍ଦ କରିବେ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଥିଲେ। ଯଦି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ  ପଲ୍ଲୀରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିଲ୍ଲୀ ପର୍ଯ୍ୟନ୍ତ  ବ୍ୟାପିବ ବୋଲି ସତର୍କ କରାଇଛନ୍ତି। ସେହିପରି ଆନନ୍ଦପୁର ବିଧାୟକ ସରକାରୀ ଅଧିକାରୀ ଓ ମାଫିଆଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏହି ବାଲି ଲୁଟ ଚାଲିଛି ବୋଲି ଅଭିଯୋଗ କରିଛନ୍ତି। କରଗୋଳା ଗ୍ରାମରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ସେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଅବଗତ କରାଇ ଥିଲେ ବି କେହି ଏହାକୁ ଗୁରୁତ୍ୱ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଆସନ୍ତା କାଲି ସୁଦ୍ଧା ସତ୍ୟାଗ୍ରହ ସ୍ଥଳୀଙ୍କୁ ଯଦି ଜିଲ୍ଲାପାଳ ନଆସନ୍ତି ତେବେ ସାରା ଜିଲ୍ଲାର ୧୩ଟି ଯାକ ତହସିଲ ରେ ଏପରି ସତ୍ୟାଗ୍ରହ ପ୍ରତିବାଦ କରାଯିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି। ଆଜିଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମ ରେ ସମାଜସେବୀ ସତ୍ୟବ୍ରତ ଜେନା, ମଧୁସୂଦନ ରାଉତ, ରମ୍ପାସ ସରପଞ୍ଚ ରବୀନ୍ଦ୍ର ଜେନା, ଗ୍ରାମର ଆଲୋକ ବେହେରା, ବିଜୟ ସାହୁ, ସୁଲି ଜେନା, ଅହଲ୍ୟା ସାହୁ, ରିତାଞ୍ଜଳୀ ସାହୁ, ଅର୍ଣ୍ଣପୂର୍ଣ୍ଣା ପଣ୍ଡା,  ଶୁଭଲଷ୍ମୀ ନନ୍ଦ, ଜଗବନ୍ଧୁ ଜେନା, ମୁରଲୀ ସେଠୀ, ଲକ୍ଷ୍ମୀନାରାୟଣ ନନ୍ଦ, ଜଗତ ନାରାୟଣ ଜେନା, ମହେନ୍ଦ୍ର ପଣ୍ଡl,  ନଟବର ମହାରଣା, ବେଣୁ ଜେନା , ସୁଦର୍ଶନ ସାହୁ, ଶ୍ରୀଧର ଜେନା, ଗଣେଶ ଜେନା, ଗୋପାଳ ସେଠୀ, ଶୁକଦେବ ପଣ୍ଡା,ସୁବାଷ ଜେନା, କିଶୋର ଜେନା, ନାରାୟଣ ଓଝା, ନଟବର ବେହେରା, ଅଲେଖ ଜେନା, ନରହରି ପତି, ପରୀକ୍ଷିତ ଜେନା, ବଳରାମ ପଣ୍ଡା, କ୍ଷୀରୋଦ ସାହୁ, ନୀଳମଣି ଜେନା,ନରହରି ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ।  ପ୍ରଚଣ୍ଡ ଖରାରେ ଘଣ୍ଟା ଘଣ୍ଟା ଧରି ବାଲିରେ ବସି ପ୍ରତିବାଦ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ