ପୂର୍ତ ବିଭାଗର ବାଲିଭଉଁରୀ-ଶିଖରଘାଟ ରାସ୍ତା:ସରିଲା ଦଶହରା, ହେଲା ନାହିଁ ରାସ୍ତା ମରାମତି

ନାଉଗାଁ,(ଓ୍ବାଇଏନଏସ): ପୂର୍ତ ବିଭାଗ ଅଧୀନ ବାଲିଭଉଁରୀ-ଶିଖରଘାଟ ରାସ୍ତାଟି ନାଉଗାଁ ବ୍ଲକର ମୁଖ୍ୟରାସ୍ତା ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଛି। ଏହି ରାସ୍ତାର ମରାମତି କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ରାସ୍ତାରୁ ପିଚୁ ଓ ଗୋଡି ଉଠିଯାଇ ରାସ୍ତାଟି ଶୋଚନୀୟ ହୋଇପଡିଥିଲା। ସାମାନ୍ୟ ବର୍ଷାରେ ଏହି ରାସ୍ତାରେ ବର୍ଷା ପାଣି ଜମି ରହିବା ହେତୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଥିଲା। ଫଳରେ ବିଭାଗ ପକ୍ଷରୁ ଅଗଷ୍ଟ ୧୯ରୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଗୁଡିକରେ କ୍ରସର ଡଷ୍ଟ ଓ ମେଟାଲ ମିଶାଯାଇ ଖାଲ ଗୁଡିକ ମରାମତି କରାଯାଉଥିଲା। ହେଲେ ଗୋଟିଏ ଦିନରେ ସାମାନ୍ୟ ବର୍ଷାରେ ରାସ୍ତାରେ ପକା ଯାଇଥିବା ଡଷ୍ଟ ଧୋଇ ଯିବା କାରଣରୁ ପୁର୍ନବାର ରାସ୍ତାରେ ଖାଲ ସୃଷ୍ଟି ହୋଇଥିବା ବେଳେ ଗୋଡି ରାସ୍ତାର ଆଡେ ସାଡେ ପଡି ରହିଥିବା ଦେଖାଯାଇଥିଲା। ଏହି ରାସ୍ତାର ମୁଗେଇଛକ ଠାରୁ କୋକିଢିଅ ଛକ ପର୍ଯ୍ୟନ୍ତ ପ୍ରାୟ ୧ କି.ମି ରାସ୍ତା ହୋଇଥିବା ବେଳେ ଏଥିରେ ପ୍ରାୟ ଶତାଧିକ ଖାଲ ରହିଛି। ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଏହି ଖାଲ ଗୁଡିକରେ ବର୍ଷା ପାଣି ଜମି ରହିଥିବାରୁ ଜନସାଧାରଣ ଯାତାୟତରେ ନାହିଁ ନଥିବା ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦଶହରା ପାଇଁ ମୁଖ୍ୟ ରାସ୍ତା ଗୁଡିକୁ ଜରୁରୀକାଳିନ ଭିତିରେ ମରାମତି କରାଯିବା ସରକାରୀ ବ୍ୟବସ୍ଥା ରହିଥିଲେ ମଧ୍ୟ ଉକ୍ତ ବିଭାଗ ପକ୍ଷରୁ ଦଶହରା ଉତ୍ସବ ଶେଷ ହୋଇଥିଲେ ମଧ୍ୟ ରାସ୍ତାକୁ ମରାମତି କରାଯାଇନାହିଁ। ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାସ୍ତାକୁ ତୁରନ୍ତ ମରାମତି କରାଯିବା ପାଇଁ ସମାଜସେବୀ ରବିନାରାୟଣ ଷଡଙ୍ଗୀ, ନବନିର୍ମାଣ କୃଷକ ସଂଗଠନର ଜଗତସିଂହପୁର ଜିଲ୍ଲା ସହସଂଯୋଜକ ଅଶୋକ କୁମାର ସ୍ୱାଇଁ, ନାଉଗାଁ ଜନସ୍ୱାର୍ଥ ସୁରକ୍ଷା କମିଟିର ସଂପାଦକ କମ୍ରେଡ ସୁବାସ ସ୍ୱାଇଁ, କାଳନ୍ଦୀ ଦାସ,ସୁନିଲ ମାଟିଆ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ