ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବନାନୀ ବନ୍ଧୁ କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଅଷ୍ଟମ ବାର୍ଷିକ ଉତ୍ସବ ବନାନୀବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୃତ୍ତିକା ,ବୃକ୍ଷ, ଗୋ-ପୂଜନ ସହ ଗୀତା ଓ ଗୋ-ମହାତ୍ମ୍ୟ ଆବୃତ୍ତି ସହ ସଂସ୍କୃତି ଓ ପ୍ରକୃତି ସମ୍ପର୍କିତ ଶପଥପାଠ ଓ ଦସ୍ତଖତ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲେ । ସମାଜସେବୀ ନାରାୟଣ ଚନ୍ଦ୍ର ଯେନା ଅତିଥିଭାବେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ ।ଇଞ୍ଚୋଳ ବିକାଶ ମଞ୍ଚର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି କହିଥିଲେ କି ଇଞ୍ଚୋଳରେ ସାମାଜିକ ସେବା ଓ ସବୁଜ କ୍ରାନ୍ତି ଆଣିବା ଦିଗରେ ବିକାଶ ମଞ୍ଚ ନିରବଚ୍ଛିନ୍ନ କାର୍ଯ୍ଯ କରିବା ସହ ସର୍ବଦା ନିଆରା ବାର୍ତ୍ତା ପ୍ରଦାନ କରୁଛି ଯାହା ପ୍ରେରଣାଦାୟୀ । ଏହିଅବସରେ ମାନବ ଶୃଙ୍ଖଳ ସହ ବିଭିନ୍ନ ସଚେତନଧର୍ମୀ ବାର୍ତ୍ତା ଧରି ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ସବୁଜ ଗ୍ରାମ ପରିକ୍ରମା ଅନୁଷ୍ଠିତ ହୋଇଥିଲା । ସଞ୍ଜିବ ପଣ୍ଡା ,ମାନସ ଯେନା,ସାଇବ ପଣ୍ଡା ,ଯୁବରାଜ ଜେନା, ଶ୍ରୀକାନ୍ତ ଜେନା ,ମନୋଜ ଜେନା ,ବିଶ୍ୱଜିତ ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।