ମହାନତା ଦେଖାଇଲେ ଭଞ୍ଜନଗର ଅଗ୍ନିଶମ ବାହିନୀ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। ଜିଲ୍ଲାରେ ଅଧିକାଂଶ ସହର ଜଳବନ୍ଦୀ ରହିଥିବା ବେଳେ ଅନେକ ଗାଁ ଭିତରେ ବନ୍ୟାଜଳ ପ୍ରବେଶ କରି ଛାରଖାର କରି ପକାଇଥିଲା। ଏଥିରୁ ବାଦ ପଡିନଥିଲା ପିଲାଙ୍କ ଭବିଷ୍ୟତ ଗଢୁଥିବା ବିଦ୍ୟାଳୟ। ଅନେକ ସ୍କୁଲ ଭିତରେ ବନ୍ୟାଜଳ ପ୍ରବେଶ କରି କାଦପଙ୍କରେ ପରିପୂର୍ଣ୍ଣ ହୋଇ ପଡିଥିବା ବେଳେ ପିଲାଙ୍କ ପାଠ୍ୟ ଉପକରଣ ଠାରୁ ଆରମ୍ଭ କରି କ୍ରୀଡା ସାମଗ୍ରୀ ଆଦି ପାଣିରେ ନଷ୍ଟ ହୋଇ ଯାଇଛି। ଏଥିସହ ଗ୍ରାମରେ ମଧ୍ୟ ପାଣି ପଶିଥିବାରୁ ଘରେ ଥିବା ବହି ଖାତା ଆଦି ନଷ୍ଟ ହୋଇପଡିଛି। ଏଭଳି ପରିସ୍ଥିତିରେ ବନ୍ୟାରେ ଜଳବନ୍ଦୀ ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ବିଦ୍ୟାଳୟ ଗୁଡିକର ସ୍ଥିତି ସୁଧାରିବାରେ ମଧ୍ୟ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ବିଭାଗୀୟ କର୍ମଚାରୀ ମାନେ ଶିକ୍ଷକ ମାନଙ୍କ ସହ ମିଶି ବିଦ୍ୟାଳୟ ଗୁଡିକରେ ଭର୍ତ୍ତି ହୋଇଥିବା କାଦ ସଫା କରିବା ସହ ସଫେଇ କାର୍ଯ୍ୟ କରିଥିଲେ। ଏଥିସହ ପିଲାଙ୍କ ବହି ଖାତା ନଷ୍ଟ ହୋଇଥିବା ପାଖରୁ ଅନୁଭବ କରିଥିଲେ। ବର୍ତ୍ତମାନ ଧିରେ ଧିରେ ସ୍ଥିତି ସ୍ବଭାବିକ ଆଡକୁ ଯାଉଥିବା ବେଳେ ପିଲାଙ୍କ ପାଇଁ ସହାୟତର ହାତ ମଧ୍ୟ ବଢାଇଛନ୍ତି ଭଞ୍ଜନଗର ଅଗ୍ନିଶମ ବାହିନୀ। ଭଞ୍ଜନଗର ବ୍ଳକର ଡି.କଇଠପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛତ୍ରପୁରର ସହକାରୀ ଅଗ୍ନିଶମ ଅଧିକାରୀ ଧନଞ୍ଜୟ ମଲ୍ଲିକଙ୍କ ଦ୍ବାରା ପ୍ରଦତ୍ତ ୧୦୦ ଗୋଟି ପାଠ୍ୟ ଉପକରଣର ଏକ କିଟ ସହ ନିଜେ ଚକଲେଟ ବାଣ୍ଟିଛନ୍ତି ଅଗ୍ନିଶମ ବାହିନୀର ହାବିଲଦାର ସନାତନ ମହାପାତ୍ର,ରଘୁନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ପ୍ରକାଶ ସ୍ୱାଇଁ, ଅଭିମନ୍ୟୁ କାଣ୍ଡି। କେବଳ ଅସୁବିଧା ସମୟରେ ସହଯୋଗର ହାତ ବଢାଇବାରେ ନିଜକୁ ସୀମିତ ନରଖି ପିଲାଙ୍କ ଅସୁବିଧା ସମୟରେ ମଧ୍ୟ ସହାୟତାର ହାତ ବଢାଇ ମାନବିକତାର ମଧ୍ୟ ପରିଚୟ ଦେଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସଙ୍ଗୀତା ପ୍ରଧାନ,ସହକାରୀ ଶିକ୍ଷକ ଶିଶିର କୁମାର ପତି,ରୀତା କୁମାରୀ ଭୂୟାଁ ପ୍ରକାଶ କରିଛନ୍ତି।


