ପୌରପାଳିକାର ସ୍ୱାୟତ୍ତ ଶାସନ ଦିବସ
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ଭବାନୀପାଟଣା ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସ ଆଡମ୍ବର ସହକାରେ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ନଗରପାଳ ବିଷ୍ଣୁ ପ୍ରଧାନଙ୍କ ଦ୍ବାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ନଗରପାଳ ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଭବାନୀପାଟଣା ସହରକୁ ସ୍ଵଚ୍ଛ, ସୁନ୍ଦର ଓ ନିର୍ମଳ ରଖି ଉନ୍ନତିପଥରେ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ ପାଇଁ କାମନା କରିଥିଲେ। ଏହାସହ ନଗରପାଳ ପ୍ରଧାନ ସମସ୍ତଙ୍କୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହର ବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ ଓ ସମସ୍ତ କାଉନସିଲର, ପୌର କର୍ମଚାରୀ ସହ ମିଶି କେକ କାଟି ଏହି ଦିବସକୁ ଉତ୍ସବ ମୁଖର କରିଥିଲେ।ଏହି ଅବସରରେ ମାଁ ମାଣିକେଶ୍ଵରୀ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ନଗରପାଳ ପ୍ରଧାନଙ୍କ ସମେତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢୀ ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏହି ଅବସରରେ ଭବାନୀପାଟଣା ସହରରେ ନବନିର୍ମିତ ଶୀତଳ ଭଣ୍ଡାରକୁ ସାଂସଦ ମାଳବିକା ଦେବୀ ଉଦଘାଟିତ କରିଥିଲେ। ଏହି ଶୀତଳ ଭଣ୍ଡାର ଦ୍ଵାରା ବହୁ ସ୍ଥାନୀୟ ବ୍ୟବସାୟୀ ଉପକୃତାହେବେ ବୋଲି ଏମପି ପ୍ରକାଶ କରିଥିଲେ।ଦୀର୍ଘ ଦିନ ଧରି ପନିପରିବା ବ୍ୟବସାୟୀଙ୍କ ଦାବି ରହିଥିବା ଏହି ଶୀତଳ ଭଣ୍ଡାର ଶେଷରେ ଲୋକାର୍ପଣ ହୋଇଯାଇଛି। ସେହିପରି ଏମପି ମାଳିବିକାଙ୍କ ଦ୍ଵାରା ସହରର ଅର୍କବହାଲି ପଡ଼ା ଛକଠାରେ ଏବଂ ଅନ୍ୟ ସ୍ଥାନରେହାଇମାଷ୍ଟ ଲାଇଟର ଶୁଭ ଉଦ୍ଘାଟନ ହୋଇଯାଇଛି। ଉପରୋକ୍ତ ୨ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭବାନୀପାଟଣା ମ୍ୟୁନସିପାଲଟି ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଟାଉନ ହଲ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ କୃତି ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।


