କାଳ ବୈଶାଖୀର ଭୀମ ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ ଟାରୁ ସାଢ଼େ ୫ ଟା ଯାଏଁ କାଳ ବୈଶାଖୀ ର ଭୀମ ତାଣ୍ଡବ ପ୍ରଭାବରେ ଘନ ଘନ ବଜ୍ରପାତ ସାଙ୍ଗକୁ ପ୍ରବଳ ପବନ ଓ ଝଡ଼ ବର୍ଷା ସାଧାରଣ ଜନ ଜୀବନକୁ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଥିଲା। ଦିଗପହଣ୍ଡି ବ୍ଳକ ବମୋକେଇ ପଞ୍ଚାୟତ ଖଇରପଙ୍କ ଗ୍ରାମ ନିକଟ ଚାଷଜମି ରେ ବଜ୍ରପାତ ହେବାରୁ ଗୋରୁ, ଛେଳି,ମଇଁଷି ଚରାଉଥିବା ଖଇରପଙ୍କ ଗ୍ରାମର ଶ୍ରୀଧର କନିଆରି(୨୪) ଏବଂ ଗଡଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମର ଜି.ରାଜେନ୍ଦ୍ର(୪୫) ଗୁରୁତର ଆହାତ ହୋଇଥିଲେ।ଉଭୟଙ୍କୁ ନୂଆପଡ଼ା ଫାଣ୍ଡି ପୋଲିସ ଗ୍ରାମବାସୀ ଙ୍କ ସହାୟତାରେ ଉଦ୍ଧାର କରି ନିକଟସ୍ଥ ବମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଓପିଡି ନଂ.୬୦୨୭ ଅନୁଯାୟୀ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଶ୍ରୀଧର ଙ୍କୁ ସେଠାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥିଚରଣ ନାୟକ ମୃତଦେହ ଜବତ କରିଛନ୍ତି।ସନ୍ଧ୍ୟା ହୋଇଯିବାରୁ ମଙ୍ଗଳବାର ମୃତଦେହ ର ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ସେହିପରି ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଅଧିନ ପୁରୁଣା ବସଷ୍ଟାଣ୍ଡ ଇଲାକାର ୧୭ ନଂ ରାଜ୍ୟରାଜପଥ ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବହୁ ସଂଖ୍ୟକ ବାସିନ୍ଦା ଙ୍କ ଘର ଓ ଦୋକାନ ମାନଙ୍କରେ ନର୍ଦ୍ଦମା ପାଣି ଓ ବର୍ଷା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ସେମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏପରିକି ସାପ,ସରିସୃପ ରାସ୍ତା ନପାଇ ଘରେ ପଶୁଛନ୍ତିି। ଗତ ମେ ୬ ତାରିଖରେ ସ୍ଥାନୀୟ ବାସିନ୍ଦା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ମେ ୭ ତାରିଖ ରେ ସ୍ଥାନୀୟ ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ମନୋଜ ମହାରଣା, ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,କାଉନସିଲର ଦୀପକ ମିଶ୍ର ଘଟଣାସ୍ଥଳ ରେ ପହଞ୍ଚି ପ୍ରଭାବିତ ବାସିନ୍ଦା ଙ୍କ ସହ ସବିଶେଷ ଆଲୋଚନା କରିବା ସହ ସ୍ଥିତି ର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତି ର ଏକ ମାସ ବିତିଯିବାପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ବାସିନ୍ଦା ସୋମବାର ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି। ସେହିପରି ସାନଖେମୁଣ୍ଡି ବ୍ଲକ ପାଟପୁର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଭୀଷଣ ପବନ ଓ ବର୍ଷା ପ୍ରଭାବରେ ରାସ୍ତାକଡ଼ ମାନଙ୍କରେ ଥିବା ବହୁ ସଂଖ୍ୟକ ଗଛ ଉପୁଡ଼ି ପଡ଼ିଛି।


