ଥାନା ଛକରେ ବିଜୁ ଯୁବଛାତ୍ର ଜନତା ଦଳର ବିକ୍ଷୋଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶାରେ ଛାତ୍ରୀ ମାନଙ୍କୁ ଅସଦାଚରଣ, ବଳତ୍କାର, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବା ନେଇ ରାଜ୍ୟ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଡାକରା ଦିଆଯାଇଥିଲା । ସମସ୍ତ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ରାଜ୍ୟ ସରକାରଙ୍କ ବିରୋଧରେ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ବର୍ଜ୍ଜନ, ପିକେଟିଂ, କଳାବ୍ୟାଚ୍ ପିନ୍ଧିବା ସହିତ କୁଶ ପୁତ୍ତଳିକା ଦାହ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ଏପରିପେକ୍ଷୀରେ ଆଜି ବନ୍ତ ବ୍ଲକ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମ କଲେଜ ଆଗରେ ନହୋଇ ଥାନା ଛକ ଠାରେ ହୋଇଥିବାର ଦେଖାଯାଇଥିଲା । ଏଥିରେ ବ୍ଲକ ଛାତ୍ର ଜନତା ଦଳର ସଭାପତିଙ୍କୁ ଦେଖିବାକୁ ମିଳିନଥିଲା । ପ୍ରାରମ୍ଭରେ ବନ୍ତ ଜଳ ସେଚନ ଅଫିସ ଛକ ଠାରୁ ଏକ ର୍ୟାଲି ବାହାରି ବଜାର ପରିକ୍ରମା କରି ଥାନା ଛକ ଠାରେ ପହଞ୍ôଚଥିଲା । ସେଠାରେ ପଥପ୍ରାନ୍ତ ସଭା ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ପୂର୍ବରୁ ବିଜୁ ଯୁବଛାତ୍ର ଜନତା ଦଳର ବହୁ କାର୍ଯ୍ୟକ୍ରମରେ ଶତାଧିକ ଯୁବଛାତ୍ରଙ୍କୁ ଦେଖିବାକୁ ମିଳୁଥିଲା । ମାତ୍ର ଆଜିର ଏହି କାର୍ଯ୍ୟକ୍ରମରେ ଅଳ୍ପ ସଂଖ୍ୟକ ଯୁବଛାତ୍ର ଯୋଗ ଦେଇଥିବାର ଦେଖାଯାଇଥିଲା । ଫଳରେ ଦଳ ଭିତରେ ମତଭେଦ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।