ଗିରଫ ହେଲେ କୋଟିପତି ଡିଏଫ୍ଓ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଗିରଫ ହେଲେ କୋଟିପତି ଡିଏଫ୍ଓ । କେନ୍ଦୁଝର କେନ୍ଦୁପତ୍ର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ହାଜର କରାଯାଇଥିଲା । ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର ୬/୨୦୨୫ ପିସି ଆକ୍ଟ ରେ ତାଙ୍କ ନାମରେ ମାମଲା ହୋଇଥିଲା । ଆୟ ବର୍ହିଭୁତ ସଂପତ୍ତିର ହିସାବ ଦେଇ ନ ପାରିବାରୁ ତାଙ୍କୁ ଆଜି ତାଙ୍କୁ ଗିରଫ କରାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଆୟର ୨୧୮ ପ୍ରତିଶତ ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ଅଧିକାରୀମାନେ ଗତ ରବିବାର ଠାରୁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କ ସରକାରୀ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରି ତାଙ୍କର ଆୟ ବର୍ହିଭୁତ ସଂପତ୍ତିକୁ ଜବତ କରିଛନ୍ତି । ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ବହୁତଳ କୋଠା ସହ ତାଙ୍କ ପାଖରେ ୧୧୫ଟି ଉଚ୍ଚ ମୂଲ୍ୟର ପ୍ଲଟ ଠାବ କରାଯାଇଛି । ୨ଟି ଚାରି ଚକିଆ ଯାନ ଯଥା-ମାରୁତି ସୁଜୁକି ଡିଜାୟାର ଏବଂ ସ୍କୋଡା ଭୋକ୍ସୱାଗନ ଭର୍ଟସ ଏବଂ ୪ଟି ଦୁଇ ଚକିଆ ଯାନ ମଧ୍ୟ ଜବତ କରାଯାଇଛି । କେନ୍ଦୁଝରସ୍ଥିତ ସରକାରୀ କ୍ୱାର୍ଟସ ରୁ ମିଳିଛି ଗୋଟିଏ ବନ୍ଧୁକ ଏବଂ ୮ଲକ୍ଷ ୫୦ହଜାର ଟଙ୍କା । ପୂର୍ବରୁ ଅନୁଗୁଳ ସ୍ଥିତ ବାସଭବନରୁ ୧ଲକ୍ଷ ୫୫ହଜାର ଟଙ୍କା ଜବତ୍ ହୋଇଥିଲା । ଡିଏଫ୍ଓଙ୍କ ନିକଟରୁ ମୋଟ ୧୦ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଛି । ବହୁ ବ୍ୟାଙ୍କ ଖାତା ଓ ଜମିଜମା କାଗଜପତ୍ର ଜବତ କରିଛି । କାଗଜ ଯାଂଚରେ ତାଙ୍କ ୯ଟି ବ୍ୟାଙ୍କ ଖାତାରେ ୫୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜମା ଥିବା ଜଣାପଡିଛି । ଛେଣ୍ଡିପଦାରେ ୧ଏକର ୫୦ ଡିସିମିଲ ଜମିରେ ଏକ ଫାର୍ମ ହାଉସ ଠାବ ହୋଇଛି । ଯେଉଁଠାରେ ୪୦ଡିସିମିଲ ଜମିରେ ମାଛ ଚାଷ ପାଇଁ ପୋଖରୀ ରହିଛି । ଫାର୍ମ ହାଉସରେ କଦଳୀ,ନଡିଆ ଓ ଆମ୍ବ ଚାଷ ହୋଇଛି । ଏହି ଫାର୍ମହାଉସର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଫାର୍ମହାଉସ ସମ୍ପର୍କରେ ଡିଏଫ୍ଓ ତଥ୍ୟ ଲୁଚାଇଥିବାବେଳେ କେନ୍ଦୁଝରସ୍ଥିତ ସରକାରୀ ବାସଭବନ ଯାଂଚ ବେଳେ ଏ ସମ୍ପର୍କରେ ସୂଚନା ମିଳିଥିଲା । ଭିଜିଲାନ୍ସ ଟିମ ଦ୍ୱାରା ସର୍ଚ୍ଚ ସମୟରେ ଏକ ଡାଏରୀରେ କେତେ ପେମେଣ୍ଟ ଏବଂ ଖର୍ଚ୍ଚ ହୋଇଛି ତାହାର ସୂଚନା ମିଳିବା ପରେ ଭିଜିଲାନ୍ସର ଏକ ଟେକନିକାଲ ଟିମ୍ ଉକ୍ତ ଫାର୍ମ ହାଉସ ଯାଇ ଯାଂଚ କରିଥିଲା । ଭିଜିଲାନ୍ସର ବିଜ୍ଞପ୍ତି ଅନୁଯାୟୀ, ସେ ତାଙ୍କ ବେଆଇନ ଅର୍ଥରେ ବହୁ ସଂଖ୍ୟକ ପ୍ଲଟ କିଣିଥିବା ସନେ୍ଦହ କରାଯାଉଛି । ଶ୍ରୀ ନାୟକଙ୍କର ଅନୁଗୁଳ ଜିଲ୍ଲା ତୁରଙ୍ଗଠାରେ ୯ ହଜାର ବର୍ଗଫୁଟର ଏକ ବହୁତଳ କୋଠା,ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମଦନମୋହନପାଟଣାର ପୈତୃକ ଘର,ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ୱଶୁର ଘର,କେନ୍ଦୁଝରରେ ଥିବା ସରକାରୀ ବାସଭବନ,ନୟାଗଡ ଜିଲ୍ଲା କୋମଣ୍ଡରେ ପୁଅ ରହୁଥିବା ଘର,ନୟାଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀ ନାୟକଙ୍କ ପୁଅର ଅଫିସରେ ଭିଜିଲାନ୍ସ ଖୋଳତାଡ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ,ଡିଏଫ୍ଓ ଶ୍ରୀ ନାୟକଙ୍କ ନାମରେ ୫୮ଟି ପ୍ଲଟ,ତାଙ୍କ ପତ୍ନୀଙ୍କ ନାମରେ ୪୨ଟି ପ୍ଲଟ,ଦୁଇପୁଅଙ୍କ ନାମରେ ୧୮ଟି ପ୍ଲଟ,ଝିଅଙ୍କ ନାମରେ ୪ଟି ପ୍ଲଟ ରହିଛି । ୨୦୦ ଶହ ଗ୍ରାମର ସୁନା ଗହଣା ଟଙ୍କା ଜବତ ହୋଇଛି । ଇନ୍ସୁରାନ୍ସ,ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ୫୦ ଲକ୍ଷ ୩୮ ହଜାର ୬୬୦ଟଙ୍କା ଜମା ରହିଛି । ଘରକରଣା ଆସବାବପତ୍ର ବାବଦକୁ ମୋଟ ୨୩ଲକ୍ଷ ୮୦ ହଜାର ଟଙ୍କା ଆକଳନ କରାଯାଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ନେଇ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍ଓ ଶ୍ରୀ ନାୟକଙ୍କ ବିରୋଧରେ ଅଭିଯୋଗ ଥିଲା । କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି,ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଡିଏସ୍ପି,୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଅନୁଗୁଳ,କେନ୍ଦୁଝର ଓ ନୟାଗଡ ଜିଲ୍ଲାରେ ଏକକାଳୀନ ତଲାସି କରି ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ ।