ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିର୍ଲା ଟାୟାର୍ସ ଶ୍ରମିକମାନଙ୍କ ବିକ୍ଷୋଭ ସମାବେଶ

ବାଲେଶ୍ୱର,(ଗୌରାଙ୍ଗ ପାଣିଗ୍ରାହୀ): ବିର୍ଲା ଟାୟାର୍ସରେ ଦୀର୍ଘବର୍ଷ କାର୍ଯ୍ୟ କରିଆସିଥିବା ଶ୍ରମିକ/କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ମଙ୍ଗଳବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନକରି “ବାଲେଶ୍ୱରରେ ଆଇନର ଶାସନ-ଆମର ଦାବି ଶ୍ରମଦପ୍ତରକୁ ଜାଲିଆତି ଓ ମିଥ୍ୟା ତଥ୍ୟ ଦେଇଥିବା ବର୍ତ୍ତମାନର କାରଖାନା କର୍ତ୍ତୃପକ୍ଷଙ୍କୁ ଗିରଫ କର, ଏନ୍‌ସିଏଲ୍‌ଟି (ଜାତୀୟ କମ୍ପାନୀ ଆଇନ୍ ଆୟୋଗ)ଙ୍କ ଆଦେଶକୁ କାର୍ଯ୍ୟକାରୀ କରି ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ଓ ସେମାନଙ୍କ ପ୍ରାପ୍ୟ ପ୍ରଦାନ କର” ପ୍ରଭୃତି ନାରା ଦେଇଥିଲେ। ବିକ୍ଷୋଭସ୍ଥଳରେ ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ସଭାପତିତ୍ୱ କରି ବିର୍ଲା ଟାୟାର୍ସ ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡ଼ାଲ୍ ଅଫିସ୍‌ର ଦାୟିତ୍ୱରେ ଥିବା ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ନକରିବା ଦୁଃଖର ବିଷୟ ବୋଲି କହିଥିଲେ। ଏମ୍‌ସିଏଲ୍‌ଟି ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଓ ହିମାଦ୍ରି ସ୍ପେଶାଲିଟି କେମିକାଲ୍ସକୁ କାରଖାନା ହସ୍ତାନ୍ତର କରିଥିବାବେଳେ ଅନ୍ୟଏକ ସଂସ୍ଥା ହିମାଦ୍ରି କ୍ଲିନ୍ ଏନର୍ଜି ଠିକାଦାର ନିଯୁକ୍ତିପାଇଁ ଶ୍ରମଦପ୍ତରରୁ ରେଜିଷ୍ଟ୍ରେସନ ପ୍ରମାଣପତ୍ର ପାଇବା ଓ ଠିକାଦାରମାନଙ୍କୁ ଲେବର ଲାଇସେନ୍ସ ଦେବା ଘଟଣା ପଦାରେ ପଡ଼ିବା ପରେ ଗତ ଅକ୍ଟୋବର ୧୮ ତାରିଖରୁ ଏହି ରେଜିଷ୍ଟ୍ରେସନ୍ ଓ ଲାଇସେନ୍‌ସକୁ ଶ୍ରମବିଭାଗ ରଦ୍ଦ କରିଛି। କିନ୍ତୁ ଜିଲ୍ଲା ପ୍ରଶାସନ ଜାଲିଆତି କରିଥିବା କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ଶ୍ରମିକମାନଙ୍କୁ ବିସ୍ମିତ କରିଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।

ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସିଆଇଟିୟୁର ନେତା ପ୍ରେମରଞ୍ଜନ ପାତ୍ରଙ୍କ ସମେତ ଟିୟୁଏସିସିର ଉପସଭାପତି ଶାନ୍ତନୁ ଦାସ, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ବିର୍ଲା ଶ୍ରମିକମାନଙ୍କ ଦାବି ଓ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ। ବିର୍ଲାଟାୟାର୍ସ ଶ୍ରମିକ ସଂଘମାନଙ୍କ ମିଳିତ ମଞ୍ଚର ଆବାହକ ସତ୍ୟନାରାୟଣ ଆଚାର୍ଯ୍ୟ ବିକ୍ଷୋଭକାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ନ୍ୟାୟ ପାଇଁ ଦୀର୍ଘଦିନ ଧରି ସଂଗ୍ରାମ ଚଳାଉଥିବା ଶ୍ରମିକ ଓ ସେମାନଙ୍କ ପରିବାରବର୍ଗଙ୍କୁ କୃତଜ୍ଞତା ଜଣାଉଥିଲେ। ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ôଚଥିଲା। ବିକ୍ଷୋଭ ସମାବେଶରୁ ମିଳିତ ମଞ୍ଚର ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ତୁରନ୍ତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ନକଲେ ରାଜ୍ୟ ଓ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିକ୍ଷୋଭ ସ୍ଥଳରେ ଘୋଷଣା କରାଯାଇଛି। ବିକ୍ଷୋଭ ଓ ଶୋଭାଯାତ୍ରାରେ ସର୍ବଶ୍ରୀ ତୀର୍ଥଚନ୍ଦ୍ର ପ୍ରଧାନ, ତପନ ଭୂୟାଁ, ଚନ୍ଦ୍ରକାନ୍ତ ମାଝୀ, ଚନ୍ଦନ ଆଚାର୍ଯ୍ୟ, ଅକ୍ଷୟ କୁମାର ରାୟ, ଭରତ ମହାନ୍ତି, ଗଦାଧର ବାରିକ, ସେକ୍ ମଇଉଦ୍ଦିନ୍‌, ଭୋଳାନାଥ ବେହେରା ଓ ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ