ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେଡି ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କହିଲେ କେନ୍ଦ୍ରାପଡ଼ା ପ୍ରତି ରାଜ୍ୟ ସରକାର ଘୋର ଅବହେଳା କରିଛନ୍ତି। ପଡୋଶୀ ଜଗତସିଂହପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା କରାଯାଇଥିଲେ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି ସରକାର। ବିଧାନସଭାରେ ଶ୍ରୀ ବେହେରା ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ପ୍ରଶ୍ନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୁଟନୈତିକ ଉତ୍ତର ରଖି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କହିଲେ ୨୪ ବର୍ଷରେ ବିଜେଡି ସରକାର ରାଜ୍ୟରେ ୩ଟି ମେଡିକାଲ କଲେଜରୁ ୧୦ଟି ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ହେଲେ କେନ୍ଦ୍ର ସରକାରଙ୍କ ସହଯୋଗ ଅଧିକ ଆବଶ୍ୟକ। ସେହିପରି ସିଏସ୍‌ଆର ପାଣ୍ଠିରୁ ମଧ୍ୟ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇଥାଏ। ବିଜେଡି ସରକାର ମିତ୍ତଲ ଷ୍ଟିଲ କାରଖାନାକୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଣିଥିଲେ। ମିତ୍ତଲ ଷ୍ଟିଲ କମ୍ପାନୀ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜି ହୋଇଥିଲା। କିନ୍ତୁ ବିଜେପି ସରକାର ଏବେ କେନ୍ଦ୍ରାପଡ଼ାରୁ ମିତ୍ତଲ ଷ୍ଟିଲକୁ ଉଠାଇ ନେଇ କେନ୍ଦୁଝରରେ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ନଗରପାଳ ସରିତା ସାହୁ, ଯୁବନେତା ରାଜେଶ ପଣ୍ଡା, ବିଜେଡି ରାଜ୍ୟ ସଂପାଦକ ରଞ୍ଜିତ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରଦ୍ୟୁମ୍ନ ଜେନା, ମୀର ମୁର୍ସିଦ, ରାଜେଶ ଦାସ, ଧୀରେନ ସାହୁ, ରଶ୍ମୀରଞ୍ଜନ ରାଉତ, ସୈାମେନ୍ଦ୍ର ପୃଷ୍ଟି, ଶରତ ବେହୁରା, ହିରଣ୍ୟ ପଣ୍ଡା, ସେକ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ବିଜେପି ପକ୍ଷରୁ କୁହାଯାଇଛି ଯେ ବିଗତ ୨୫ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ରକାର କେନ୍ଦ୍ରାପଡା ପାଇଁ କ’ଣ କରିଛନ୍ତି। ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ବି କେନ୍ଦ୍ରାପଡାରେ କାହିଁକି ମେଡିକାଲ କଲେଜ ପ୍ରତିଷ୍ଠା କରାଗଲା ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ବିଜେଡି ସରକାରର ୨୫ ବର୍ଷ ବନାମ ବିଜେପି ସରକାରର ୧୦ମାସ ଲୋକେ ବିଚାର କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ୨୫ବର୍ଷ ଭିତରେ କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ କରିପାରିନଥିବା ବିଜେଡି ଆଜି ୧୦ମାସର ବିଜେପି ସରକାର ବିରୋଧରେ ମେଡିକାଲ କଲେଜ ପାଇଁ ନାରାବାଜି କରୁଛି କେଉଁ ମୁହଁରେ ବୋଲି ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ମହମ୍ମଦ ସଲିମ ଖାଁ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ