ଦିଗପହଣ୍ଡି ରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ବୁଧବାର ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଧିକାରୀ ଡା. ମଧୁସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ମେଳାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଏବଂ ଗଞ୍ଜାମ ଜିଲା ମତ୍ସ୍ୟ ସମ୍ପଦ ଅଧିକାରୀ ଭରତ ଭୂଷଣ ଜେ. ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମେଶ କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଅତିଥିବୃନ୍ଦ ଗୋ -ପୂଜନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ବାରା କୃଷି ଓ କୃଷକଙ୍କୁ ଅବଗତ କରାଇବା ନିମନ୍ତେ ଆୟୋଜିତ ଷ୍ଟଲ ଗୁଡ଼ିକୁ ବୁଲି ଦେଖିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ , ମଇଁଷି , ଗାଈ ବାଛୁରୀ , କୃଷି ଉଦ୍ୟୋଗ ଯୋଜନାରେ ହିତାଧିକାରୀଙ୍କୁ ଅତିରିକ୍ତ ରିହାତି , ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ କୁକୁଡ଼ା ପାଳନ , ଛେଳି, ମେଣ୍ଢା ପାଳନ , ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ନୂତନ ଗୋଶାଳା ପାଇଁ ସହାୟତା ସମେତ ମତ୍ସ୍ୟ ଚାଷ ବିଷୟରେ ସଭାରେ ଆଲୋକପାତ କରାଯାଇଥିଲା । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଦ୍ଵାରା ଚାଷୀ ମାନଙ୍କ ପାଇଁ ଲୋକାଭିମୁଖୀ ଯୋଜନା କରି ସେମାନଙ୍କୁ ସହାୟତା କରି ଆସୁଛନ୍ତି । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ଯମରେ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ସରଳ ଭାବେ ବୁଝାଇବା କୁ ବିଧାୟକ ପରାମର୍ଶ ଦେଇଥିଲେ । ଶେଷରେ ବ୍ଳକର ଶ୍ରେଷ୍ଠ ଗୋପାଳକ , ଛେଳି ପାଳକ ଏବଂ ମତ୍ସ୍ୟ ଚାଷୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାତ୍ରପୁର ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ସସ୍ମିତା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଦିଗପହଣ୍ଡି ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ରର ସହକାରୀ ମତ୍ସ୍ୟ ଅଧିକାରୀ ଜୟଭଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ସ୍ଥାନକୁ ନେଇ ଦିଗପହଣ୍ଡି ଓ କବିସୂର୍ଯ୍ୟନଗର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ କବିସୂର୍ଯ୍ୟ ଙ୍କ ମାମୁଁ ଘର ଦିଗପହଣ୍ଡି ବୋଲି ଉଦବୋଧନ ଦେବାରୁ ଉପସ୍ଥିତ ଆଇନଜୀବୀ ହରପ୍ରସାଦ ରଥ ଏହାର ପ୍ରତିବାଦ କରି କବିସୂର୍ଯ୍ୟ ଙ୍କ ଜନ୍ମସ୍ଥାନ ଦିଗପହଣ୍ଡି ବ୍ଲକ ବିଜୟନଗର ଗଡ ରେ ବୋଲି ପ୍ରତିକ୍ରିୟା ରଖିବାରୁ ପ୍ରାଣୀ ଚିକିତ୍ସାଧିକାରୀ ନିଜ ଅଭିଭାଷଣକୁ ଫେରାଇ ନେଇଥିବା ଘୋଷଣା କରିଥିଲେ। ଏହି ମେଳାରେ ଉଭୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ମେଳା ରେ ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।


