ତାଳଦଣ୍ଡା କେନାଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ, (ଓ୍ବାଇଏନଏସ): ତାଳଦଣ୍ଡା କେନାଲରେ ରାତିର ଅନ୍ଧାର ଭିତରେ ଭାସୁଥିବା ଏକ ମୃତଦେହକୁ ନେଇ କଟକ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି। କେନାଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣାକୁ ନେଇ ରହସ୍ୟ ବଢ଼ିଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ମୃତ୍ୟୁ କିପରି ହେଲା, ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କଟକର ମଧୁପାଟଣା ଥାନା ଅଧୀନ ତାଳଦଣ୍ଡା କେନାଲରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହ ପାଣିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ମଧୁପାଟଣା ଥାନା ପୋଲିସ ସହ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ କେନାଲରୁ ମୃତଦେହକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। ମୃତ ଯୁବକଙ୍କ ବୟସ ଓ ପରିଚୟ ସମ୍ପର୍କରେ ତୁରନ୍ତ କୌଣସି ସୂଚନା ମିଳିପାରିନାହିଁ। ମୃତଦେହ ଉଦ୍ଧାର ସମୟରେ ଯୁବକ ଜଣକ ଜିନ୍ସ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିଥିବା ଜଣାପଡ଼ିଛି। ପରିଚୟ ଚିହ୍ନଟ ହୋଇନଥିବାରୁ ପୋଲିସ ମୃତଦେହକୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ଅନ୍ୟପଟେ ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ବିଭିନ୍ନ ଥାନାକୁ ତାଙ୍କ ଫଟୋ ଓ ବିବରଣୀ ପଠାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ନିଖୋଜ ଅଭିଯୋଗ ସହ ମୃତକଙ୍କ ତଥ୍ୟ ମେଳ କରାଯାଉଛି। ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ କେନାଲକୁ ଆସିଲେ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ରହିଛି। ଏହା ଅସାବଧାନତାରୁ ଘଟିଥିବା ଦୁର୍ଘଟଣା, ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ