କଲେଜ ଛାତ୍ର ସଂସଦ ନିର୍ବାଚନ ଅନିୟମିତତା ମାମଲା: ନିଷ୍ପତ୍ତି ଗ୍ରହଣ ପାଇଁ ଅଭିଯୋଗ ସମାଧାନ ପ୍ରକୋଷ୍ଠକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ସମୟରେ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା ଏବଂ ଆଚରଣବିଧିକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ଉପରେ ରୁଜୁ ହୋଇଥିବା ମାମଲା ଉପରେ ନିୟମ ଅନୁଯାୟୀ ଶୁଣାଣି କରି ନିଷ୍ପତ୍ତି ଗ୍ରହଣ କରିବାକୁ କଲେଜର ନିର୍ବାଚନ ଅଭିଯୋଗ ସମାଧାନ ପ୍ରକୋଷ୍ଠ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁଯାୟୀ ନିର୍ବାଚନ ପ୍ରଚାର ବେଳେ ନିୟମ ଉଲ୍ଲଙ୍ଘନ ନେଇ ହୋଇଥିବା ଅଭିଯୋଗ ଉପରେ କଲେଜର ନିର୍ବାଚନ ଅଭିଯୋଗ ସମାଧାନ ପ୍ରକୋଷ୍ଠ ୨୪ଘଣ୍ଟା ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା କଥା। କିନ୍ତୁ ନିର୍ବାଚନ ଶେଷ ହେବା ପରେ ମଧ୍ୟ ସେହି ଅଭିଯୋଗ ଉପରେ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଏହା ବିରୋଧରେ ହିମାଂଶୁ ନାୟକ ଓଡିଶା ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଛାତ୍ରସଂସଦ ନିର୍ବାଚନ ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗ ଅକ୍ଟୋବର ୫ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏଥିରେ ଅଭିଯୋଗ ସମାଧାନ ପ୍ରକ୍ରିୟା ଓ ଆଦର୍ଶ ଆଚରଣ ବିଧି ପ୍ରସଙ୍ଗରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅକ୍ଟୋବର ୧୪ତାରିଖରେ କେତେକ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚିହ୍ନଥିବା ପତାକା ଧରି ଏକ ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ। ଏହି ପ୍ରାର୍ଥୀମାନେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବେଳେ ନିୟମାବଳୀ ପାଳନ କରିନଥିବା ହୋଇଥିଲା। ଏଭଳି ନିୟମ ଉଲ୍ଲଙ୍ଘନ ଘଟଣାର ଫଟୋଗ୍ରାଫ ଏବଂ ଅନ୍ୟ ତଥ୍ୟ ସମ୍ବଳିତ ପ୍ରମାଣ ସହିତ ଆବେଦନକାରୀ ମହାବିଦ୍ୟାଳୟ ନିର୍ବାଚନ ଅଭିଯୋଗ ସମାଧାନ ପ୍ରକୋଷ୍ଠ ଅଧ୍ୟକ୍ଷଙ୍କ ନିକଟରେ ଅକ୍ଟୋବର ୧୪ତାରିଖରେ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ କୈାଣସି ଆଇନଗତ ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ହାଇକୋର୍ଟରେ ଏସମ୍ପର୍କରେ ଏକ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମହାନ୍ତି ଓ ସମ୍ବିତ କୁମାର ପତ୍ରୀ ହାଇକୋର୍ଟରେ ଏହି ମାମଲା ପରିଚାଳନା କରୁଥିଲେ।


