ବୁଗୁଡା ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ
ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ହେଉଛି ଏକ ପଛୁଆ ବ୍ଲକ। ପ୍ରାୟ ୦୧ ଲକ୍ଷ ୭୭ ହଜାର ଜନସଂଖ୍ୟା ବିଶିଷ୍ଟ ବୁଗୁଡା ବ୍ଲକ ଓ ଏନଏସି ରେ ୯୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଜାତି ରହୁଥିବା ଏହି ବ୍ଲକ ପ୍ରଗତିର ବହୁ ପଛରେ ରହିଯାଇଛି। ବିଭିନ୍ନ ବ୍ଳକର ମୁଖ୍ୟ ସହର ନାମରେ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ବୁଗୁଡା ବ୍ଲକ ସେଥିରୁ ବାଦ ପଡିଛି। ଦେଶ ଓ ରାଜ୍ୟରେ ସରକାର ଗଠନ ହେବା ଦିନଠାରୁ କୌଣସି ଜନପ୍ରତିନିଧି ମନ୍ତ୍ରୀ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ବୁଗୁଡା ବ୍ଳକର ବ୍ୟକ୍ତି ଭାବେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଗୋକୁଳାନନ୍ଦ ମଲ୍ଲିକ ସ୍ଥାନ ପାଇଛନ୍ତି। ବୁଗୁଡା ବ୍ଲକ ହେଉଛି ଏକ ଶିଳ୍ପ ଶୁନ୍ୟ ବ୍ଲକ। କିଛି ଅଣୁ ଓ କ୍ଷୁଦ୍ର ଶିଳ୍ପ କୁ ବାଦ ଦେଲେ କୌଣସି ମଧ୍ୟମ ଓ ବୃହତ ଶିଳ୍ପ ନାହିଁ। ନବେ ପ୍ରଶିତତ ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ବୁଗୁଡା ବ୍ଲକ ଏପରି ଏକ ବ୍ଲକ ଯେଉଁଠି କୌଣସି କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନ ନାହିଁ। ବୁଗୁଡା ବ୍ଳକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ତାହା ସମ୍ଭବ ହୋଇପାରି ନାହିଁ। ବୁଗୁଡା ବ୍ଳକର ସୀମାକୁ ଜଗନ୍ନାଥ ପ୍ରସାଦ ବ୍ଲକ, ବେଲଗୁଣ୍ଠା ବ୍ଲକ, ଆସିକା ବ୍ଲକ ପୋଲସରା ବ୍ଲକ ଏବଂ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ଲାଗିରହିଥିବା ବେଳେ ବୁଗୁଡା ବ୍ଲକ ଏକ କେନ୍ଦ୍ର ସ୍ଥଳି ଅଟେ। ଅତଏବ ବୁଗୁଡାର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ଭୌଗଳିକ ଦୃଷ୍ଟି କୋଣରୁ ଉପଯୁକ୍ତ ଅଟେ। ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଥିପାଇଁ ଆନ୍ତରିକ ଉଦ୍ୟମ କରିବା ସହ ବୁଗୁଡା ବ୍ଳକର ବ୍ୟକ୍ତି ତଥା ହାଇକୋର୍ଟର ଆଡଭୋକେଟ ରଞ୍ଜିତ କୁମାର ପାତ୍ର ଯେପରି କେନ୍ଦ୍ର ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଇମେଲରେ ବୁଗୁଡା ବ୍ଳକରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି, ସେହିଭଳି ବୁଗୁଡା ବ୍ଳକର ସମସ୍ତ ଲୋକ ପ୍ରତିନିଧି , ଶିକ୍ଷା ପ୍ରେମୀ, ସମାଜ ସେବୀ ଓ ଯୁବ ସମାଜ କେନ୍ଦ୍ର ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆମର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିକଟକୁ ଡାକରେ ପତ୍ର ଦ୍ୱାରା କିମ୍ବା ଇମେଇଲ ଦ୍ୱରା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ ଜଣାଇ ପାରିଲେ ଉତ୍ତମ ପ୍ରଭାବ ପଡିପାରିବ। ଆଶା କରାଯାଉଛି ବୁଗୁଡା ବ୍ଳକର ସମସ୍ତେ ଏଥି ପାଇଁ ଆନ୍ତରିକ ଉଦ୍ୟମ କରିବାହେବେ।