୧୦ ତାରିଖରେ ବାଲେଶ୍ୱର ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବାଲେଶ୍ୱର(ସରୋଜ ପଣ୍ଡା): ଆସନ୍ତା ୧୦ ତାରିଖ ସକାଳ ୧୧ଟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଗସ୍ତରେ ଆସି ଏକ ଜନସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ହେଲିକପ୍ଟର ଯୋଗେ ଆସି ଆଇଟିଆଇ ପଡ଼ିଆରେ ଅବତରଣ କରିବେ ଏବଂ ପରେ ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ସଭାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହି ସମ୍ପର୍କରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୫୦୫୮୧୭ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବା ସହ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରାଯାଇଥିବା ସେ କହିଛନ୍ତି। କିଛି ପ୍ରଯୁକ୍ତିଗତ ସମସ୍ୟା ଯୋଗୁଁ ପୂର୍ବରୁ ଅନେକ ହିତାଧିକାରୀ ଭତ୍ତା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ସେହି ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି। ୬୦ ବର୍ଷ ବୟସ ପୂରଣ କରିଥିବା ବ୍ୟକ୍ତି ଏବଂ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିବା ଯୋଗ୍ୟ ବ୍ୟକ୍ତିମାନେ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ମାଧ୍ୟମରେ ଭତ୍ତା ପାଇଁ ଆବେଦନ କରିପାରିବେ। ଆବେଦନର ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଏକ ମାସ ମଧ୍ୟରେ ଭତ୍ତା ପ୍ରଦାନ ସୁନିଶ୍ଚିତ କରାଯିବ। ଏହାସହ ୮୦ ବର୍ଷ ବୟସ ପୂରଣ କରିବା ପରେ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ପ୍ରକ୍ରିୟା ସ୍ୱତଃସ୍ଫୂର୍ତ୍ତ ଭାବେ ଅପଡେଟ୍‌ ହେବ। ପୂର୍ବରୁ ଏଥିପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ୁଥିବା ବେଳେ ଏବେ ଆଉ ସେହି ଅସୁବିଧା ରହିବ ନାହିଁ ବୋଲି ସାଂସଦ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀକୁ ବାଲେଶ୍ୱର ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଉତ୍ତର ବାଲେଶ୍ୱର ସଭାପତି ପ୍ରଦୀପ ଚନ୍ଦ୍ର ପଣ୍ଡା, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ଉତ୍ତର ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଉମାକାନ୍ତ ମହାପାତ୍ର, ବସ୍ତା ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆ ଏବଂ ରାଜ୍ୟ ମୁଖପାତ୍ର ବିଭୁ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ