ମାଲକାନାଗିରିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ଅଧୀନରେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଶିବିର ଅତ୍ୟନ୍ତ ଉତ୍ସାହର ସହ ଆରମ୍ଭ ହୋଇଯାଇଛି। ଏହି ଅବସରରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ କର୍ମଚାରୀ ଓ ଡାକ୍ତରୀ ଦଳ ପକ୍ଷରୁ କଟକରୁ ଆସିଥିବା ସମସ୍ତ ଅତିଥି ବିଶେଷଜ୍ଞଙ୍କୁ ସୁସଜ୍ଜିତ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ଡାକ୍ତରମାନେ ବହୁ ପ୍ରତିଷ୍ଠିତ ବିଶେଷଜ୍ଞଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିବିରର ସଫଳ କାମନା କରିଥିଲେ।ଏହି ମହତ୍ତ୍ୱାକାଂକ୍ଷୀ ଶିବିରରେ କଟକ ଏସ.ସି.ବି ମେଡିକାଲ କଲେଜର ଅଭିଜ୍ଞ ଡାକ୍ତରମାନେ ସାମିଲ ହୋଇଛନ୍ତି। ଏହି ଡାକ୍ତରୀ ଦଳରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ କୁମାର ସାହୁ, ଏଣ୍ଡୋକ୍ରିନୋଲୋଜି ବିଶେଷଜ୍ଞ ଡାକ୍ତର ବନ୍ଦନା ଦାଶ, ବୃକକ ବା କିଡନୀ ରୋଗ ବିଭାଗରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ବିଶେଷଜ୍ଞ ଡାକ୍ତର ଅନୁରାଗ ସେନାପତି, ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଗୌତମ ତ୍ରିପାଠୀ, ହୃଦ ରୋଗ ବିଶେଷଜ୍ଞ ଡାକ୍ତର ସୟଦ ଅସଦ ଜଲିଲ, ସର୍ଜରୀ ବିଭାଗର ଦାୟିତ୍ୱ ନେଇଥିବା ବିଶେଷଜ୍ଞ ଡାକ୍ତର ଦେବାଶିଷ ପାଣିଗ୍ରାହୀ ଏବଂ ପାକସ୍ଥଳୀ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସିତାଂଶୁ ଶେଖର ପ୍ରଧାନ ପ୍ରମୁଖ ଏକତ୍ରିତ ହୋଇ ମାଲକାନଗିରିବାସୀଙ୍କ ଜଟିଳ ରୋଗର ନିରାକରଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।ମେ’ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ରୋଗୀ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଶେଷଜ୍ଞଙ୍କଠାରୁ ମୂଲ୍ୟବାନ ପରାମର୍ଶ ଗ୍ରହଣ କରୁଛନ୍ତି। ପୂର୍ବରୁ ଯେଉଁ ରୋଗୀମାନେ ଉତ୍ତମ ଚିକିତ୍ସା ପାଇଁ କଟକ ବା ଭୁବନେଶ୍ୱର ଉପରେ ନିର୍ଭର କରୁଥିଲେ, ଏବେ ‘ବାୟୁ ସ୍ୱାସ୍ଥ୍ୟ ସେବା’ ମାଧ୍ୟମରେ ସେହି ସମସ୍ତ ସୁବିଧା ନିଜ ଅଞ୍ଚଳରେ ପାଇପାରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ତଦାରଖ କରୁଛନ୍ତି।


