ଶିକ୍ଷାବିଭାଗ ପକ୍ଷରୁ ଶିଶୁକଥା ଦିବସ
ଆସିକା (ୱାଇଏନ୍ଏସ୍): ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପରାମର୍ଶକ୍ରମେ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଦିନ ଶେଷ ହେବ ବୋଲି ଜଣାପଡିଛି । ଏହି ଓଡିଆ ପକ୍ଷ ପାଳନର ସପ୍ତମ ଦିବସରେ ଆସିକା ଶିକ୍ଷା ବିଭାଗ ପକ୍ଷରୁ ଶିଶୁକଥା ଦିବସ ପାଳନ ଏବଂ ବର୍ଣ୍ଣବୋଧ ପୁସ୍ତକ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ହରିଡାପଦର, ନିମିନା, କେନ୍ଦୁପଦର, ବାଲିସିରା, ସଦର, ଖାରିଆ, ବାବନପୁର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବଡଖୋଲି, ଭେଟନଇ, ନଳବଣ୍ଟା, କାଳଷଣ୍ଢପୁର କ୍ଳଷ୍ଟରର ୧୩୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା କୁନି କୁନି ଶିଶୁମାନଙ୍କ ଉପସ୍ଥିତିରେ ଶିଶୁକଥା ଦିବସ ଓ ବର୍ଣ୍ଣବୋଧ ପୁସ୍ତକ ପଠନର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରାଙ୍କ ସମେତ ବହୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରି ବର୍ଣ୍ଣବୋଧ ପୁସ୍ତକ ପାଠ କରିବାର ଆବଶ୍ୟକତା ଓ ଏହି ପୁସ୍ତକରେ ପ୍ରକାଶିତ ବିଭିନ୍ନ ଛବି ଓ ପଶୁପକ୍ଷୀଙ୍କ ସଂପର୍କରେ ମାର୍ଗଦର୍ଶନ କରାଇ ବର୍ଣ୍ଣବୋଧ ମାତୃଭାଷା ଶିକ୍ଷଣର ମୂଳଦୁଆ ହୋଇଥିବା ବେଳେ ଏହା କୋମଳମତି ଶିଶୁମାନଙ୍କ ପାଠପଢା ପ୍ରତି ବିଶେଷ ଆକୃଷ୍ଟ କରିପାରିବ ବୋଲି ପ୍ରକାଶ କରିବା ସାଙ୍ଗକୁ ଏହି ବର୍ଣ୍ଣବୋଧ ପୁସ୍ତକର ବହୁଳ ବ୍ୟବହାର ଆମ ମାତୃଭାଷାକୁ ରୁଦ୍ଧିମନ୍ତ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିବା ଲକ୍ଷ୍ୟ କରାଯାଇଥିଲା ।


