ଚୌଦ୍ୱାର ଜେଲ୍ କଏଦୀ ଫେରାର ମାମଲା: ନିୟମିତ ଜାମିନ ପାଇଁ ହାଇକୋର୍ଟରେ ସୁଜିତ ରାଉଳ

କଟକ, (ଓ୍ବାଇଏନଏସ): ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର ଘଟଣାରେ ନୂଆ ମୋଡ଼ ଆସିଛି। ଏହି ମାମଲାରେ ଗିରଫ ହୋଇ ଜେଲ୍ କଷ୍ଟଡିରେ ଥିବା ଚୌଦ୍ୱାର ଜେଲ୍‌ର ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳ ନିୟମିତ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଛନ୍ତି। ତଳ କୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟର ଆଶ୍ରୟ ନେଇଛନ୍ତି। ଦୁଇ କଏଦୀ ଜେଲ୍‌ରୁ ଫେରାର ହେବା ଘଟଣାର ତଦନ୍ତ ବେଳେ ଜେଲ୍‌ର ଅଫିସିଆଲ୍ ରେକର୍ଡ ଓ ମିନିଟ୍‌ ବୁକ୍‌ରେ ଜାଲିଆତି ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା। ସେତେବେଳେ ଜେଲ୍‌ର ଦାୟିତ୍ୱରେ ଥିବା ସୁଜିତ ରାଉଳ କଏଦୀଙ୍କୁ ଫେରାର କରାଇବାରେ ସହଯୋଗ କରିବା ଉଦ୍ଦେଶ୍ୟରେ ରେକର୍ଡରେ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ଗିରଫ ପୂର୍ବରୁ ସୁଜିତ ରାଉଳ ପୁଲିସ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ପରେ ନିମ୍ନ ଅଦାଲତରେ ମଧ୍ୟ ଜାମିନ ପାଇଁ ଆବେଦନ କରିଥିଲେ ସୁଜିତ ରାଉଳ। ତେବେ ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ନିମ୍ନ ଅଦାଲତ ଜାମିନ ଆବେଦନ ଖାରଜ କରିବା ପରେ ଏବେ ସେ ନିୟମିତ ଜାମିନ ପାଇଁ ହାଇକୋର୍ଟକୁ ଯାଇଛନ୍ତି। ଏପଟେ ଗିରଫ ପରଠାରୁ ଜେଲ୍ କଷ୍ଟଡିରେ ଥିବା ସୁଜିତ ରାଉଳଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି। ହାଇକୋର୍ଟରେ ଦାଖଲ ହୋଇଥିବା ନିୟମିତ ଜାମିନ ଆବେଦନର ଶୁଣାଣି ଆଗାମୀ ଦିନରେ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ