ଟିଟାନିୟମ କମ୍ପାନୀ କାର୍ଯ୍ୟକ୍ଷମ ପାଇଁ ଦାବୀ
ଛତ୍ରପୁର (ଓ୍ବାଇଏନଏସ): ୨୦୨୪ ନଭେମ୍ବର ୫ ତାରିଖରୁ ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରାଇଭେଟ ଲିମିଟେଡ ସଂସ୍ଥା (ଟିଟାନିୟମ) କର୍ମଚାରୀମାନଙ୍କୁ ଅସ୍ଥାୟୀ ବିରତି କରିଛି । ଦିର୍ଘ ମାସ ହେଲା କମ୍ପାନୀର ଉତ୍ପାଦ ଅଡର ନଥିବାରୁ ମାର୍ଚ୍ଚ ୨୦୨୫ ବେଳକୁ ଏହାର ସ୍ଥିତି ସୁଧାର ଆସିବ ବୋଲି ସେହି ସମୟରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଯାହା ଫଳରେ ସେହି ସମୟରେ ନିୟୋଜିତ ଶ୍ରମିକ ମାନେ ରାଜି ହୋଇଥିଲେ । କିନ୍ତୁ ମାର୍ଚ୍ଚ ଯାଇ ଏବେ ମେ ସରିବାକୁ ଗଲାଣି ଅଥଚ କମ୍ପାନୀ କାମ ଚଲାଇବାକୁ ଉଦ୍ୟମ ନକରି ବନ୍ଦ କରି ରଖିଛି,ଯାହାଫଳରେ ଏହି କମ୍ପାନୀ ଉପରେ ନିର୍ଭର କରି ଚଳୁଥିବା ଶତାଧିକ ଶ୍ରମିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏନେଇ ଟିଟାନିୟମ ଏମ୍ପଲୟର ୟୁନିୟନ ପକ୍ଷରୁ ବହୁ ଶ୍ରମିକମାନେ ଗଞ୍ଜାମ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଏହି କମ୍ପାନୀ ନିର୍ମାଣ ସମୟରେ ବହୁ ଲୋକ ଜମି ଦେଇଥିଲେ । କିନ୍ତୁ କମ୍ପାନୀ ଆମକୁ ଠକୁଥିବା କହିଥିଲେ । ଏବେ ଭୁ ବିସ୍ଥାପିତ ପରିବାର ଓ କମ୍ପାନୀ ରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସମସ୍ୟା ଏବେ ଦୁଇ ଗୁଣିତ ହୋଇଯାଇଛି । ତୁରନ୍ତ ଜିଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବୀ ହୋଇଛି । ଏପରିକି ଏହି ୟୁନିଅନ ପକ୍ଷରୁ ମାର୍ଚ୍ଚ ୨୭ ମଧ୍ୟ ଜିଲାପାଳଙ୍କ ଭେଟି କମ୍ପାନୀ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଯଦି କମ୍ପାନୀ ଆସନ୍ତା ୫ ଦିନ ମଧ୍ୟରେ କେଉଁ ଦିନ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ତାରିଖ ଧାର୍ଯ୍ୟ ନକରିବେ ସମସ୍ତ କର୍ମଚାରୀ ଓ ଭୁ ବିସ୍ଥାପିତ ପରିବାର କମ୍ପାନୀ ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିବୁ ବୋଲି ସ୍ମାରକ ପତ୍ରରେ ଉଲେଖ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ୟୁନିଅନ ସଭାପତି ଆର.ଦପାଣି ରେଡି,ସଂପାଦକ ଶଙ୍କର ବେହେରାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।