ବ୍ରିଜ ଉପରୁ ନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ବ୍ରିଜ୍ ଉପରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଜଣେ ନବମ ଶ୍ରେଣୀ ଛାତ୍ରୀ ତଥା ୧୨ ବର୍ଷିୟ ନାବାଳିକା ଜଣକ ସ୍କୁଲ ପୋଷାକ ପିନ୍ଧି ନିଜ ସାଇକେଲ ଯୋଗେ ବ୍ରିଜ୍ ଉପରକୁ ଯାଇଥିଲେ । ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀଗର୍ଭକୁ ଲମ୍ଫ ମାରିଥିଲେ । ଏପରି ଦୃଶ୍ୟ ଦେଖି ବ୍ରିଜକୁ ଲାଗିଥିବା ଆନ୍ଧ୍ର ପୁରୁଣାପାଟଣାର କିଛି ପଥଚାରୀ ତୁରନ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇଥିଲେ । ତେବେ ନଦୀର ପାଣିକୁ ଜନସ୍ବାସ୍ଥ୍ୟ ବିଭାଗ ଅଟକାଇ ରଖିଥିବାରୁ ନଦୀଗର୍ଭ ଶୁଖିଲା ରହିଥିଲା । ଇତିମଧ୍ୟରେ ଛାତ୍ରୀ ଜଣକ ଏକ ବସ୍ତା ଉପରେ ପଡିଯାଇଥିଲେ । ଫଳରେ ଗୁରୁତର ଭାବେ ଆଘାତ ଲାଗିଥିଲା । ଛାତ୍ରୀଙ୍କୁ ପଥଚାରୀଙ୍କ ସମେତ ନିକଟରେ ଥିବା ଆନ୍ଧ୍ର ପୋଲିସ କର୍ମଚାରୀ ପହଞ୍ଚି ଏକ ଅଟୋ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଛାତ୍ରୀ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ଗୋଡ ଭାଙ୍ଗିଯାଇଥିବା କୁହାଯାଉଛି । ଖବର ପାଇ ଛାତ୍ରୀଙ୍କ ମା, ବାପା ଓ ସ୍କୁଲ କର୍ତ୍ତୃପକ୍ଷର ପହଞ୍ଚିଛନ୍ତି । ତେବେ ନାବାଳିକା ଜଣକ କାହିଁକି କେଉଁ ମାନସିକ ଅବସ୍ଥାରେ ଏପରି କରିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ


