ଶ୍ରେଣୀଗୃହ ଉଦଘାଟନ ବିବାଦ:ଦୋଷ ଲୁଚାଇବାକୁ ପ୍ରଚେଷ୍ଟା କରୁଛନ୍ତି ପ୍ରଧାନ ଶିକ୍ଷକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ନସିରିପୂର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଉଦଘାଟନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନା ଧରୁନି। ପ୍ରଧାନ ଶିକ୍ଷକ ନିଜ ଦୋଷ ଲୁଚାଇବାକୁ ଭିନ୍ନ ଭିନ୍ନ ପ୍ରଚେଷ୍ଟା ଜାରି ରଖିଛନ୍ତି। ଗତକାଲି ବ୍ଲକ ଶିକ୍ଷା ଅଧିକାରୀ ଏନେଇ ପ୍ରଧାନ ଶିକ୍ଷକଙ୍କୁ କାହା ଅନୁମତିରେ ଏପରି କଲ ବୋଲି ପଚାରିବା ପରେ ସେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। କିନ୍ତୁ ଅପରାହ୍ନରେ କିଛି ସହକର୍ମୀଙ୍କୁ ଧରି କାହିଁକି ବ୍ଲକ ଶିକ୍ଷା ଅଧିକାରୀ ଫୋନ କରି ପଚାରିଲେ ସେଥିପାଇଁ ପଚାରିବାକୁ କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ତାଙ୍କୁ ବୁଝା ଶୁଝା କରି ଫେରାଇ ଦେଇଥିଲେ। ସେହିପରି ଆଜି କିଛି ଗ୍ରାମବାସୀଙ୍କୁ ଡାକି ଗଣ ମାଧ୍ୟମରେ ସଫେଇ ଦେବାକୁ କହିଛନ୍ତି। ସ୍କୁଲରେ ଶ୍ରେଣୀଗୃହ ଅଭାବ ଥିଲା, ଛାତ୍ର ଛାତ୍ରୀ ମାନେ ବିପଦ ସଙ୍କୁଳ ଘରେ ବସୁଥିଲେ, ଏଵଂ ଅତିଥି ଡ଼ାକିଲେ ତାଙ୍କ ପାଇଁ ଟଙ୍କା ଖର୍ଚ୍ଚ ହେବ, ସେଥିପାଇଁ ସ୍ଥାନୀୟ ଲୋକଙ୍କୁ ଡ଼ାକି ଉଦଘାଟନ କଲୁ ବୋଲି ସଫେଇ ଦେଇଛନ୍ତି । ଅନ୍ଯ ପକ୍ଷରେ ଅବସରପ୍ରାପ୍ତ ଅଧିକାରୀ, ସଙ୍ଘ ନେତାଙ୍କୁ ଡ଼ାକି ଉଦଘାଟନ କରିବା କେଉଁ ସମ୍ବିଧାନରେ ଅଛି ବୋଲି କିଛି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବ୍ଲକ ଅନୁଦାନ ଦେଲା, ବିଡ଼ିଓ ଜାଣିଲେନି, ସ୍କୁଲ ଶ୍ରେଣୀଗୃହ ଉଦଘାଟନ ହେବ ଶିକ୍ଷା ବିଭାଗର ଅଧିକାରୀ ଜାଣିବେନି। ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ସେମାନେ ବି ଜାଣିବେନି ସରକାରୀ କୋଠା ଉଦଘାଟନ ହେବ। ଏହା ପ୍ରଧାନ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟକୁ ପ୍ରତିପାଦିତ କରୁଛି ବୋଲି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା ସଙ୍ଗଠନ ର କର୍ମକର୍ତ୍ତା ମାନେ କହିଛନ୍ତି।