ଆସିକା ଏନ୍ଏସିରେ ବିନା ଗ୍ଳୋବସ୍ ଓ ବୁଟ୍ରେ ସଫେଇ କର୍ମଚାରୀ କରୁଛନ୍ତି କାର୍ଯ୍ୟ
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ଘରୋଇ ଠିକାଦାରଙ୍କ ଜରିଆରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ କେତେକ ସଫେଇ କର୍ମଚାରୀଙ୍କ ସମସ୍ୟା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ସ୍ୱଚ୍ଛତା ପାଇଁ ଆଉଟସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା କେତେକ ସଫେଇ କର୍ମଚାରୀ ହାତରେ ଗ୍ଳୋବସ୍ ଓ ଗୋଡରେ ବୁଟ୍ ପରିଧାନ ନ କରି କାମ କରୁଥିଲେ ମଧ୍ୟ ସେମାନଙ୍କ ସମସ୍ୟାକୁ ଦୂର କରିବା ଦିଗରେ ଘରୋଇ ଠିକାଦାରଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ଏନ୍ଏସି ପରିସରଭୁକ୍ତ ବିଭିନ୍ନ ୱାର୍ଡର ସାହିବସ୍ତିରେ ସ୍ୱଚ୍ଛତା କାମରେ ଗୁରୁ ଦାୟିତ୍ୱ ବହନ କରୁଥିବା କେତେକ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଘରୋଇ ଠିକାସଂସ୍ଥା ଆନୁଷ୍ଠାନିକ ବ୍ୟବସ୍ଥା ଗ୍ରହଣ କରୁନଥିବା ଅନ୍ତରାଳରେ କି ରହସ୍ୟ ରହିଛି ତାହା ତଦନ୍ତସାପେକ୍ଷ୍ୟ । ଘରୋଇ ଠିକାସଂସ୍ଥା ଜରିଆରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟ କରୁଥିବା ଅଧିକାଂଶ ସଫେଇ କର୍ମଚାରୀ ମୁହଁରେ ମାକ୍ସ, ହାତରେ ଗ୍ଳୋବସ୍ ଓ ଗୋଡରେ ବୁଟ୍ ପରିଧାନ ନ କରି ଅଧିକାଂଶ ସମୟ ଅପରିଷ୍କାର ସ୍ଥଳକୁ ଯାଇ ଚପଲ ପିନ୍ଧି ଖାଲିହାତରେ ଭାଗ୍ୟକୁ ଆଦରି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରୁଥିବା ଅଭିଯୋଗ ହେଉଛି । ଆସିକା ଏନ୍ଏସିରେ ଘରୋଇ ଠିକାଦାରଙ୍କ ଜରିଆରେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି ଠିକା ସଂସ୍ଥାରୁ ଆମେ ଦରମା ପାଉଛୁ । ସେମାନେ ଗ୍ଳୋବସ୍, ବୁଟ୍, ମାକ୍ସ ନିୟମିତ ଦେଉନାହାନ୍ତି । ସ୍ୱଳ୍ପ ବେତନରେ କିପରି ଆମେ ଏସବୁ କ୍ରୟ କରିବୁ ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ । ଆସିକା ଏନ୍ଏସି ଓ ମାନବ ସମ୍ବଳ ଯୋଗାଉଥିବା ଘରୋଇ ଠିକା ସଂସ୍ଥା ଭିତରେ ହୋଇଥିବା ଚୁକ୍ତିନାମାର ଖୋଲାଖୋଲି ଉଲଙ୍ଘନ ହେଉଥିବା କେତେକ ମହଲରେ ଚର୍ଚ୍ଚା ହେଉଛି । ଆଉଟସୋର୍ସିଂ ପଦ୍ଧତିରେ ଘରୋଇ ଠିିକାଦାରଙ୍କ ଜରିଆରେ ଆସିକା ଏନ୍ଏସି କାର୍ଯ୍ୟାଳୟରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ସଫେଇ କାର୍ଯ୍ୟରେ ନିୟୋଜିତ ଥିଲା ବେଳେ ସେମାନେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରିଆସୁଥିଲା ବେଳେ କେଉଁ ପରିସ୍ଥିତିରେ କେତେକ ସଫେଇ କର୍ମଚାରୀମାନଙ୍କୁ ଗ୍ଳୋବସ୍, ବୁଟ୍, ମାକ୍ସ ପ୍ରଦାନ କରାଯାଇନାହିଁ ତାହାର ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ବିିଭିନ୍ନ ମହଲରେ ଦୃଢ ଦାବୀ ହେଉଛି । ଘରୋଇ ଠିକାଦାରଙ୍କ ଜରିଆରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ କେତେକ ସଫେଇ କର୍ମଚାରୀଙ୍କ ମାସିକ ଦରମାରୁ ଇଏସ୍ଆଇ (କର୍ମଚାରୀ ରାଜ୍ୟବୀମା) ଯୋଜନାରେ ସୁବିଧା ପାଇବା ପାଇଁ ଆବଶ୍ୟକୀୟ ଅର୍ଥ କଟାଯାଉଥିଲେ ମଧ୍ୟ ବହୁ କର୍ମଚାରୀ ଇଏସ୍ଆଇରୁ ସୁବିଧା ପାଇବା ତ ଦୂରର କଥା ସେହି ଯୋଜନାରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ମଧ୍ୟ ଅଜ୍ଞ ଥିବା ଚର୍ଚ୍ଚା ହେଉଛି । ଆସିକା ଏନ୍ଏସିରେ ଘରୋଇ ଠିକାଦାରଙ୍କ ଅଧୀନରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ କେତେକ ସଫେଇ କର୍ମଚାରୀଙ୍କ ନାନା ସମସ୍ୟା ସଂପର୍କରେ ଆସିକାର ସହକାରୀ ଶ୍ରମ ଅଧିକାରୀ ବି.ହୃଷିକେଶ ରାଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ଅତିଶୀଘ୍ର ପଦକ୍ଷେପ ନିଆଯିବ । ବିନା ମାକ୍ସ, ବିନା ଗ୍ଳୋବସ୍ ଓ ବୁଟ୍ ପରିଧାନ ନକରି ବହୁ ଆଉଟସୋର୍ସିଂ ସଫେଇ କର୍ମଚାରୀ ଅସୁରକ୍ଷିତ ଭାବେ କାମ କରୁଥିଲେ ମଧ୍ୟ ସହରର ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟକୁ ତଦାରଖ ଓ ସୁପରିଚାଳନା ପାଇଁ ମାସିକ ମୋଟା ରକମ ଦରମା ପାଇ ନିୟୋଜିତ ଥିବା କେତେକ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ନୀରବତାକୁ ନେଇ ସହରର ଗଳିକନ୍ଦିରେ ନାନା କଥା ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି । ସଭାସମିତି ଗୁଡିକରେ ଧୋବଧାଉଳିଆ ଖୋଳ ପକାଇ ସଫେଇ କର୍ମଚାରୀମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା କେତେକ ରାଜନେତାଙ୍କ ନୀରବତା ନେଇ ଅସନ୍ତୋଷ ବି ପ୍ରକାଶ ପାଉଛି । ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ସ୍ୱଚ୍ଛତା କାମରେ ଗୁରୁ ଦାୟିତ୍ୱ ବହନ କରୁଥିବା ବହୁ ସଫେଇ କର୍ମଚାରୀ ରାତି ନପାହୁଣୁ ହାତରେ ଝାଡୁ ଧରି ହାତରେ ଗ୍ଳୋବସ୍ କିମ୍ବା ମୁହଁରେ ମାକ୍ସ ପରିଧାନ ନକରିବା ସାଙ୍ଗକୁ ଗୋଡରେ ବୁଟ୍ ନପିନ୍ଧ ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଲାଗି ନିରବିଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ଆଉଟସୋର୍ସିଂ ପଦ୍ଧତିରେ ଘରୋଇ ଠିକାଦାରଙ୍କ ଜରିଆରେ କାର୍ଯ୍ୟରତ ଥିବା କେତେକ ସଫେଇ କର୍ମଚାରୀ ଅସୁରକ୍ଷିତ ଭାବେ ସହରର ବିଭିନ୍ନ ସାହିବସ୍ତିରେ ଝାଡୁ କରୁଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ହୋଇପଡୁଥିଲା ବେଳେ ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଆସିକା ସହରକୁ ସଫାସୁତରା ରଖିବା ପାଇଁ ଦୁଇ ଓଳି ସଫେଇ କାର୍ଯ୍ୟ କରାଯାଉଛି । ଏହା ନିରାଟ ସତ ହୋଇଥିଲେ ବି କେତେକ ସଫେଇ କର୍ମଚାରୀମାନଙ୍କ ପାଇଁ ଆନୁସାଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଏନ୍ଏସିରେ ଘରୋଇ ଠିକାଦାରଙ୍କ ଅଧୀନରେ ଆଉଟସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ନୀତିନିୟମ ଅନୁଯାୟୀ ସୁବିଧା ସୁଯୋଗ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।